ରିପୋର୍ଟ କାର୍ଡ / ଭୁବନେଶ୍ୱର
ନବୀନ ପଟ୍ଟନାୟକଙ୍କ ଶାସନରରେ ରହି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶାସନକୁ ପ୍ରଶଂସା କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଭାଷଣରେ ପୁଣି ଥରେ ଅଫିସର ରାଜକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଜାନକୀଙ୍କ ଶାସନରେ ଅଫିସରଙ୍କୁ ଉଠବସ୍ କରାଉଥିଲେ ମନ୍ତ୍ରୀ। ହେଲେ ଏବେ ଚାକିରି ବଞ୍ଚାଇବା ପାଇଁ ସଚିବଙ୍କ ପାଖେ ଅଧିଆ ପଡୁଛନ୍ତି ମନ୍ତ୍ରୀ। ଭୁବନେଶ୍ୱରରେ ଗଙ୍ଗାଧର ମହାପାତ୍ରଙ୍କ ଜୟନ୍ତୀ ସଭାରେ ଯୋଗଦେଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ନିଜ ଭାଷଣରେ ସେ ସିଧା ବର୍ତ୍ତମାନ ସମୟରେ ଗଣତନ୍ତ୍ରର ସ୍ଥିତି ଓ ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା କଥା ଉଲ୍ଲେଖ କରି ତେରଛା ବାଣ ମାରିଛନ୍ତି। ସେ କହିଛନ୍ତି, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରେ ବାଘ-ଛେଳି ଗୋଟିଏ ଘାଟରେ ପାଣି ପିଉଥିଲେ। ଅଫିସରମାନଙ୍କୁ ଜଣେ ବିଧାୟକ କିମ୍ବା ମନ୍ତ୍ରୀ ଉଠବସ୍ କରାଇ ପାରୁଥିଲେ। ଏମିତିକି ସେହି ଅଫିସର ବଦଳି ନହେଲା ଯାଏଁ ଆସନରୁ ଉଠିକି ଯିବି ନାହିଁ ବୋଲି କହୁଥିଲେ। ହେଲେ ଏବେ କିନ୍ତୁ ନିଜ ଚାକିରି ରହିବ କି ନରହିବ ଭାବି ମନ୍ତ୍ରୀଟିଏ ସଚିବଙ୍କ ପାଖେ ଅଧିଆ ପଡୁଛି। ସେ ଭାବୁଛି ଏଇଟା ଗୋଟେ ସବୁଠୁ ଭଲ ବ୍ୟବସ୍ଥା ବୋଲି ସୌମ୍ୟ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମନ୍ତ୍ରୀ ବଡ଼ କି ସଚିବ ବଡ଼, ତାକୁ ସମ୍ବିଧାନ ଖୋଲି ଦେଖିବା ଉଚିତ୍। ଗୋଟିଏ ଘରେ ଚାକିରିଆ ବୋହୂ ଥିଲେ, ଶାଶୁ ତା’ ଗୋଡ଼ ଘସିବା ଯାହା, ଏବେ ଅଫିସରଙ୍କ ପାଖରେ ମନ୍ତ୍ରୀମାନଙ୍କ ଅବସ୍ଥା ଠିକ ସେୟା।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..