Report Card Odisha

| Daily Odia News

ସ୍ପୋର୍ଟସ ଷ୍ଟାର ଆୱାର୍ଡ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର 

କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି। କ୍ରୀଡ଼ା ପତ୍ରିକା ‘ସ୍ପୋର୍ଟସ ଷ୍ଟାର’ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ସୋମବାର ମୁମ୍ବାଇରେ ଆୟୋଜିତ ‘ସ୍ପୋର୍ଟସ୍‌ ଷ୍ଟାର-୨୦୨୩ ପୁରସ୍କାର’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କ୍ରୀଡ଼ା ପ୍ରୋତ୍ସାହନରେ ଶ୍ରେଷ୍ଠ ରାଜ୍ୟ’ ପୁରସ୍କାର ଗ୍ରହଣ କରିଛନ୍ତି। ଚତୁର୍ଥ ଥର ପାଇଁ ଓଡ଼ିଶା ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଛି। କ୍ରୀଡ଼ା କ୍ଷେତ୍ରରେ ଉତ୍କୃଷ୍ଟତା, ପ୍ରତିଯୋଗିତା, କୋଚିଂ, ଭିତ୍ତିଭୂମି ଓ ପ୍ରତିଭାଧାରୀ କ୍ରୀଡ଼ାବିତଙ୍କ ପାଇଁ କଲ୍ୟାଣ ଯୋଜନାର ମିଳିତ ଭୂମିକାରେ ପ୍ରତିଷ୍ଠା ପାଇଥିବା ଓଡ଼ିଶାର ‘ସ୍ପୋର୍ଟସ ମଡେଲ’ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି।ହିନ୍ଦୁ ଗ୍ରୁପ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ଦ ହିନ୍ଦୁ’ର ସଂପାଦକ ସୁରେଶ ନମ୍ବଥ ଓ ପ୍ରସିଦ୍ଧ କ୍ରିକେଟ ଖେଳାଳି ସୁନିଲ ଗାଭାସ୍କରଙ୍କଠାରୁ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ପୁରସ୍କାର ପାଇଁ ବିଚାରକମଣ୍ଡଳୀରେ ପୂର୍ବତନ ଭାରତୀୟ କ୍ରିକେଟ କ୍ୟାପଟେନ୍‌ ସୁନିଲ ଗାଭାସ୍କରଙ୍କ ନେତୃତ୍ବରେ ଅନେକ ବିଶିଷ୍ଟ କ୍ରୀଡ଼ାବିତ ଅଭିନବ ବିନ୍ଦ୍ରା, ଅପର୍ଣ୍ଣା ପୋପଟ, ଅଞ୍ଜଳି ଭଗବତ, ବାଇଚୁଙ୍ଗ ଭୁତିଆ, ଏମ.ଏମ ସୌମ୍ୟା ଓ ବିଶ୍ବନାଥନ ଆନନ୍ଦ ପ୍ରମୁଖ ସଦସ୍ୟ ରହିଥିଲେ। ମୁଖ୍ୟମନ୍ତ୍ରୀ ଏହି ପୁରସ୍କାରକୁ ରାଜ୍ୟର ଜନସାଧାରଣଙ୍କୁ ଉତ୍ସର୍ଗ କରିଛନ୍ତି।କ୍ରୀଡ଼ାବିତମାନଙ୍କୁ ସମ୍ମାନିତ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସ୍ପୋର୍ଟସ ଷ୍ଟାର କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କ୍ରୀଡ଼ାବିତମାନଙ୍କ ଅବଦାନକୁ ମର୍ଯ୍ୟାଦା ପ୍ରଦାନ କରିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଏକ ସୁନ୍ଦର ପ୍ଲାଟଫର୍ମ। କ୍ରୀଡ଼ାବିତମାନେ ହେଉଛନ୍ତି ପ୍ରକୃତ ରାଷ୍ଟ୍ରଦୂତ। ସେମାନଙ୍କୁ ସହଯୋଗ ଯୋଗାଇଦେବା ଓ ସେମାନଙ୍କୁ ସବୁ କ୍ଷେତ୍ରରେ ଉତ୍ସାହିତ କରିବା ଆମର ଦାୟିତ୍ବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରିମଧ୍ୟ କହିଥିଲେ ଯେ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ସରକାର ବିପୁଳ ସମ୍ବଳ ବିନିଯୋଗ କରୁଛନ୍ତି। ଯୁବସମାଜ ପାଇଁ ସମ୍ବଳ ବିନିଯୋଗ କରିବା ଅର୍ଥ ହେଉଛି ଭବିଷ୍ୟତ ପାଇଁ ସମ୍ବଳର ବିନିଯୋଗ। ଗତ ୫ ବର୍ଷ ମଧ୍ୟରେ ରାଜ୍ୟର କ୍ରୀଡ଼ା ବଜେଟ ୧୦ ଗୁଣ ବଢିଛି। ଆସନ୍ତା ଆର୍ଥିକ ବର୍ଷରେ ଏହା ୧୨୦୦ କୋଟିରୁ ଅଧିକ ରହିଛି। ହକି ବିଶ୍ବ କପ ସହିତ ଓଡ଼ିଶା ଅନେକ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ୍‌କୁ ସଫଳତାର ସହ ଆୟୋଜନ କରିପାରିଛି। ଖେଳାଳିମାନଙ୍କ ପାଇଁ ବିଶ୍ବସ୍ତରୀୟ ଭିତ୍ତିଭୂମି ସୁବିଧା ନିର୍ମାଣ କରିବା ସହିତ ବିଭିନ୍ନ ହାଇ ପରଫରମାନ୍ସ ସେଣ୍ଟର ଓ ପ୍ରତିଯୋଗିତା ଜରିଆରେ ଖେଳାଳି ମାନଙ୍କ ପ୍ରତିଭାକୁ ବିକଶିତ କରିବା ପାଇଁ ଉଦ୍ୟମ ଜାରି ରହିଛି। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଜୟଯାତ୍ରାରେ ସମସ୍ତେ ସାମିଲ ହୁଅନ୍ତୁ। ସମସ୍ତେ ମିଶି ଭାରତୀୟ କ୍ରୀଡ଼ା ପାଇଁ ବିଶ୍ବସ୍ତରରେ ଗୌରବ ହାସଲ କରିପାରିବା। ଅଲମ୍ପିକ୍‌ରେ ଦେଶର ପତାକାକୁ ଉଚ୍ଚ ରଖିବା ହେଉଛି ସବୁ ଭାରତୀୟ ମାନଙ୍କର ସାମୂହିକ ସ୍ବପ୍ନ। ଏଥିପାଇଁ ସମସ୍ତେ ମିଶି ଉଦ୍ୟମ କରି ଏହାକୁ ବାସ୍ତବତାରେ ପରିଣତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ

Breaking News