ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟ ବିଜେପି ସଭାପତି କିଏ ହେବ ତାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ୮ ତାରିଖରେ ରହିଛି ନିର୍ବାଚନ ଓ ଫଳାଫଳ ଘୋଷଣା। ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଢ଼ିବା ପରେ ଦଳର ସଭାପତି ନିର୍ବାଚନ ହେଉଥିବାରୁ ଏହି ପଦରେ କିଏ ବସିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ନିର୍ବାଚନ ପାଇଁ ସୋମବାର ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୨ଟା ସୁଦ୍ଧା ନାମାଙ୍କନପତ୍ର ଦାଖଲ ହେବାର ଥିଲା। ମାତ୍ର ଅନିବାର୍ଯ୍ୟ କାରଣ ପାଇଁ ଏହି ସମୟରେ ପରିବର୍ତ୍ତନ କରାଯାଇଛି। ନାମାଙ୍କନ ପତ୍ର ଦାଖଲ ସୋମବାର ମଧ୍ୟାହ୍ନ ୧୨ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ଣ ୩ଟା ୩୦ ପର୍ଯ୍ୟନ୍ତ ଚାଲିବ। ନାମାଙ୍କନ ସମ୍ପର୍କିତ ଆପତ୍ତି ଅଭିଯୋଗର ଯାଞ୍ଚ କରାଯାଇ ଅପରାହ୍ଣ ୪ଟା୩୦ ସୁଦ୍ଧା ଚୂଡ଼ାନ୍ତ ସୂଚୀ ପ୍ରକାଶ କରାଯିବ ଏବଂ ଚିହ୍ନ ଆବଣ୍ଟନ ହେବ। ଏକାଧିକ ଆଶାୟୀ ନାମାଙ୍କନ ଦାଖଲ କରିଥିଲେ ଅର୍ଥାତ ଆବଶ୍ୟକ ହେଲେ ୮ ତାରିଖ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ୧୧ଟା ୩୦ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ। ଏହି ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ସଞ୍ଜୟ ଜୟସ୍ବାଲ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହିବେ। ସଭାପତି ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଭୁବନେଶ୍ବରରେ ପହଞ୍ଚିଛନ୍ତି। ଯଦି ଜଣେ ପ୍ରାର୍ଥୀ ହୁଅନ୍ତି, ତେବେ ସର୍ବସମ୍ମତିକ୍ରମେ ସଭାପତି ଭାବେ ତାଙ୍କ ନାମ ଘୋଷଣା ହେବ ବୋଲି ଶ୍ରୀ ତୋମାର କହିଛନ୍ତି। ସୋମବାର ଓଡ଼ିଶା ବିଜେପି ସାଂଗଠନିକ ନିର୍ବାଚନର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ଶ୍ରୀ ଜୟସ୍ୱାଲ ଓଡ଼ିଶା ଆସିବେ।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….