Report Card Odisha

| Daily Odia News

ଆଜିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ…..


ରିପୋର୍ଟ କାର୍ଡ / ଭୁବନେଶ୍ଵର

ପୂର୍ବ ଘୋଷଣା ଅନୁସାରେ ଆଜିଠାରୁ ଡ୍ରାଇଭର ମହାସଂଘ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛି । ୬ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଛି ଡ୍ରାଇଭର ମହାସଂଘ। ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଜରୁରୀକାଳୀନ ସେବାରେ ନିୟୋଜିତ ଡ୍ରାଇଭର ଆନ୍ଦୋଳନରେ ସାମିଲ ହେବେନି। ବାକି ସମସ୍ତ ଚାଳକ ଗାଡ଼ି ଚଳାଇବେ ନାହିଁ। ତେବେ ଏହାକୁ ବିରୋଧ କରିଛି ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ ମିଳିତ ମଞ୍ଚ। ସରକାର ସୁରକ୍ଷା ଦେଲେ ଆମେ ଗାଡ଼ି ଚାଳନା ଜାରି ରଖିବୁ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ଡ୍ରାଇଭର ମହାସଂଘର ସଭାପତି କହିଛନ୍ତି, ସରକାର ବାରମ୍ବାର ଆମକୁ ପ୍ରତାରିତ କରିଥିବାରୁ ଆମେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହୋଇଛୁ।

୬ ଦଫା ଦାବି ମଧ୍ୟରେ ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ ୱାର୍କର୍ ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରକୁ ସାମିଲ କରିବା ସହ ଜନ ସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯିବା ଦାବିକୁ ଅନ୍ତର୍ଭୁକ୍ତ କରାଯାଇଛି।

ସେହିପରି ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ, ପ୍ରତି ୧୦୦ କିଲୋମିଟର ଅନ୍ତରାଳରେ ଗାଡ଼ି ପାର୍କିଂ ଏବଂ ଡ୍ରାଇଭରମାନଙ୍କ ବିଶ୍ରାମ ନେବାପାଇଁ ବିଶ୍ରାମଗାର ଏବଂ ଶୌଚାଳୟ ବ୍ୟବସ୍ଥା ଦାବି ସଂଘ ପକ୍ଷରୁ କରାଯାଇଛି।

ଓଡ଼ିଶାରେ ଥିବା ପ୍ରତ୍ୟେକ ଖଣି ଖାଦାନ ଏବଂ କାରଖାନା ଗୁଡ଼ିକରେ ଓଡ଼ିଶାର ଡ୍ରାଇଭରଙ୍କୁ ଶତକଡ଼ା ୭୦ ପ୍ରତିଶତ କାମ ଦେବା ଏବଂ ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ବୋଲି ସଂଘ  ଦାବି କରିଛି।

Breaking News