ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଗୁରୁବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାତୃଭାଷା ବିଷୟରେ ପରୀକ୍ଷା ଦେବେ। ରାଜ୍ୟରେ ୫ ଲକ୍ଷ ୬୧ ହଜାର ୯୭୯ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବାବେଳେ ସେମାନଙ୍କ ନିମନ୍ତେ ୩୦୮୨ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ପୂର୍ବାହ୍ଣ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷାର୍ଥୀ ସକାଳ ୭.୩୦ ମିନିଟ୍ରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ବହୁ ପରୀକ୍ଷାର୍ଥୀ ଅସୁବିଧା ଦୃଷ୍ଟିରୁ ଠିକ୍ ସମୟରେ କେନ୍ଦ୍ରରେ ପହଞ୍ଚି ପାରନ୍ତି ନାହିଁ। ସେ କ୍ଷେତ୍ରରେ ସେମାନଙ୍କୁ ପୂର୍ବରୁ ୧୫ ମିନିଟ୍ ସମୟ ମିଳୁଥିବାବେଳେ ଏଥର ଆଉ ୧୫ ମିନିଟ୍ ବୃଦ୍ଧି କରାଯାଇଛି। ଅର୍ଥାତ୍ ସେମାନେ ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିପାରିବେ। ଅନ୍ୟପକ୍ଷରେ ପରୀକ୍ଷାରେ ସ୍ବଚ୍ଛତା ରଖିବାକୁ ସବୁ କେନ୍ଦ୍ରକୁ ସିଧାସଳଖ କମାଣ୍ଡ ଆଣ୍ଡ କେଣ୍ଟ୍ରାଲ ସହ ସଂଯୋଗ କରାଯାଇଛି। ଯାହାକି ପରୀକ୍ଷା ସମୟର ଦୃଶ୍ୟକୁ ଏହି କେନ୍ଦ୍ରରୁ ସିଧାସଳଖ ତଦାରଖ କରାଯାଇ ପାରିବ। ଯଦି କେହି କାର୍ଯ୍ୟରେ ଅବହେଳା କରନ୍ତି କିମ୍ବା ଦାୟିତ୍ବରେ ଥିବା ଶିକ୍ଷକ ଛାତ୍ରଛାତ୍ରୀଙ୍କୁ କପି ଯୋଗାନ୍ତି; ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ସେହିଭଳି ବୋର୍ଡ ଦ୍ବାରା ୩୭ଟି ସ୍ବତନ୍ତ୍ର ସ୍କ୍ବାଡ ସମେତ ଜିଲାସ୍ତରରେ ବି ସ୍କ୍ବାଡ୍ ଗଠନ ହୋଇଛି। ଯଦି ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡରେ ତ୍ରୁଟି ଥିବ, ତାହେଲେ ସେମାନେ ଏ ସଂକ୍ରାନ୍ତରେ ଲିଖିତ ଭାବେ ଜଣାଇ ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ଚଳିତବର୍ଷ ବାର୍ଷିକ ହାଇସ୍କୁଲ ପ୍ରମାଣପତ୍ର, ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତିଦିନ କେବଳ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ। ପ୍ରଥମ ଦିନ ମାତୃଭାଷା ପରେ ୨୧ରେ ଇଂରାଜୀ, ୨୩ରେ ତୃତୀୟ ଭାଷା (ହିନ୍ଦୀ ଓ ସଂସ୍କୃତ), ୨୫ରେ ବିଜ୍ଞାନ, ୨୭ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ହେବ। ତେଣୁ ପରୀକ୍ଷା କିଭଳି ସୁଚାରୁ ରୂପେ କରାଯିବ ସେଥିନେଇ ବୋର୍ଡ ସମସ୍ତ ପ୍ରସ୍ତୁତି ଶେଷ କରିଛି। ରାଜ୍ୟରେ ହୋଇଥିବା ୩୨୨ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି।






More Stories
ଲଘୁଚାପ କ୍ଷେତ୍ର ସକ୍ରିୟ…..
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..