ରିପୋର୍ଟ କାର୍ଡ / ଭୁବନେଶ୍ବର
ନିର୍ବାଚନୀ ଇସ୍ତାହାରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରାଯିବ। ରାଜ୍ୟର ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ। ୧୦୦ଦିନ ମଧ୍ୟରେ ସବୁ ମହିଳା ସୁଭଦ୍ରା ଯୋଜନାରେ ୫୦ହଜାର ଟଙ୍କାର ଭାଉଚର ପାଇବେ ବୋଲି ରବିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। କ୍ୟାବିନେଟ ମୋହର ଲାଗିବା ପରେ ବର୍ତ୍ତମାନ ଯୋଜନାର ରୂପରେଖ ପ୍ରସ୍ତୁତି ଚାଲିଛି। ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା ଆରମ୍ଭ ହେବ। ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ଏହି ଯୋଜନାକୁ ମହିଳାଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ରହିଛି। ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଅର୍ଥ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିବା ଶ୍ରୀମତୀ ପରିଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ୭ ଦିନ ଭିତରେ ମିଶନ୍ ଶକ୍ତିର ମା’ମାନେ ୨.୫ କୋଟି ଗଛ ଲଗାଇବେ । ଏନେଇ କୃଷି ବିଭାଗ, ଜଙ୍ଗଲ ବିଭାଗ ଏବଂ ବିଭିନ୍ନ ନର୍ସରୀରେ ଥିବା ଗଛଗୁଡିକୁ ମିଶନ୍ ଶକ୍ତି ମା’ମାନଙ୍କୁ ଯୋଗାଇ ଦେବାକୁ ସେ ଚିଠି ଲେଖିବେ ବୋଲି ସୂଚନା ଦେଇଛନ୍ତି। ରାଜ୍ୟର ସାଢେ ୪ କୋଟି ଓଡିଆଙ୍କ ପାଇଁ ସାଢେ ଚାରି କୋଟି ଗଛ ଲଗାଇବାକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଲକ୍ଷ୍ୟ ରଖିଛି। ପ୍ରଥମ ପର୍ଯ୍ୟାୟରେ ସାତ ଦିନ ମଧ୍ୟରେ ଅଢେ଼ଇ କୋଟି ଗଛ ଲଗେଇବେ। ମିଶନ ଶକ୍ତିର ମା’ମାନେ ନିଜ ବାଡ଼ି କିମ୍ବା ରାସ୍ତାପାର୍ଶ୍ବରେ ଗୋଟିଏ ଲେଖାଏଁ ଗଛ ଲଗେଇବେ। ଏହି ଗଛର ଯତ୍ନ ନିଜର ପିଲା ପରି ନେବାକୁ ମା’ମାନଙ୍କୁ ପରାମର୍ଶ ଦିଆଯାଇଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି।






More Stories
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..