ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆନ୍ଦୋଳନକାରୀ ଆଇନଜୀବୀଙ୍କ ଦ୍ୱାରା ନିସର୍ତ୍ତ କ୍ଷମାପ୍ରାର୍ଥନା ସତ୍ତ୍ବେ କୋହଳ ମନୋଭାବ ପୋଷଣ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସିଧାସଳଖ ମନା କରିଦେଇଛନ୍ତି। ରାଜ୍ୟରେ ଆଇନଜୀବୀଙ୍କ ଦ୍ୱାରା ଅଦାଲତ ପରିସରରେ ଆନ୍ଦୋଳନ ଏବଂ ଅଦାଲତ କାର୍ଯ୍ୟ ବର୍ଜନ ପ୍ରସଙ୍ଗରେ ସୋମବାର ବିଚାରପତି ସଞ୍ଜୟ କିଷନ କୌଲ ଏବଂ ବିଚାରପତି ମନୋଜ ମିଶ୍ରଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ଆନ୍ଦୋଳନକାରୀ ଆଇନଜୀବୀଙ୍କ ତରଫରୁ ବରିଷ୍ଠ ଓକିଲ ବିଜୟ ହଂସାରିଆ ଦର୍ଶାଇଥିଲେ ଯେ ଘଟଣାରେ ସମ୍ପୃକ୍ତ ଆଇନଜୀବୀ ନିସର୍ତ୍ତ କ୍ଷମାପ୍ରାର୍ଥନା କରିସାରିଛନ୍ତି। ତେଣୁ ସେମାନଙ୍କ ବିରୋଧରେ ଜାରି ଅଦାଲତ ଅବମାନନା ମାମଲାକୁ ପ୍ରତ୍ୟାହାର କରିନିଆଯାଉ। ପ୍ରତିଉତ୍ତରରେ ବିଚାରପତି ସଞ୍ଜୟ କିଷନ କୌଲ ଟିପ୍ପଣୀ କରିଥିଲେ ଯେ ଆନ୍ଦୋଳନକାରୀମାନେ ପଶ୍ଚାତାପ କରିଥିବା ନେଇ ନ୍ୟାୟାଳୟଙ୍କ ବିଶ୍ୱାସ ହେଉନାହିଁ। ଯାହାଜଣାପଡ଼ୁଛି ଖଣ୍ଡପୀଠଙ୍କ ଚାପ ଯୋଗୁଁ ସମସ୍ତ ଘଟଣାକ୍ରମ ଘଟିଛି। ବର୍ତ୍ତମାନ ପରିସ୍ଥିତିରେ ଅଦାଲତ ଅବମାନନା ମାମଲା ପ୍ରତ୍ୟାହାର ହେବ ନାହିଁ। ଅଦାଲତ ଅବମାନନା ମାମଲା ପ୍ରୋସିଡିଂକୁ ମଧ୍ୟ ବନ୍ଦ କରାଯିବନାହିଁ। ନ୍ୟାୟାଳୟ ଆନ୍ଦୋଳନକାରୀଙ୍କ ଆଚରଣ ଉପରେ ନଜର ରଖିବେ। ଏବେ ଏହି ଘଟଣାରେ ମତାମତ ଦେବା ବହୁତ କଠିନ ହେବ। ଆନ୍ଦୋଳନକାରୀଙ୍କ ହୃଦୟରୁ କ୍ଷମା ପ୍ରାର୍ଥନା ଆସିଛି କି ନ୍ୟାୟାଳୟଙ୍କ ଚାପରେ କ୍ଷମା ମାଗିଛନ୍ତି ତାହା ସମୟନୁକ୍ରମେ ଆଚରଣରୁ ଜଣାପଡ଼ିବ ବୋଲି ବିଚାରପତି କୌଲ ଟିପ୍ପଣୀ କରିଥିଲେ। ଭବିଷ୍ୟତରେ ଯେପରି ଆନ୍ଦୋଳନ ଅଥବା ଅଦାଲତ କାର୍ଯ୍ୟ ବର୍ଜନରେ ଆନ୍ଦୋଳନକାରୀ ଆଇନଜୀବୀମାନେ ସାମିଲ ହୋଇ ନ ପାରିବେ ସେଥିଲାଗି କ୍ଷମା ପ୍ରାର୍ଥନା ସହ ଲିଖିତ ପ୍ରତିଶ୍ରୁତି ନେବାକୁ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ଓକିଲ ଅରବିନ୍ଦ ଦତ୍ତାର ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।






More Stories
“ହମ୍ପଟି ଡମ୍ପଟି ବଜେଟ”……
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….