Report Card Odisha

| Daily Odia News

ଓଡିଶା ପୋଲିସ ଡିଜି ଓ ଆଇଜିଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର

ପଶ୍ଚିମ ଓଡ଼ିଶାରେ ଓକିଲ ଆନ୍ଦୋଳନ ନେଇ ଆଜି ସୁପ୍ରିମକୋର୍ଟ ରାଜ୍ୟର ପୋଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ଭର୍ତ୍ସନା କରିଛନ୍ତି। କହିଛନ୍ତି, ଓକିଲ ଆନ୍ଦୋଳନ ପ୍ରତିହତ କରିବାରେ ଯଦି ଓଡ଼ିଶା ପୋଲିସ ବିଫଳ, ତେବେ ଆମକୁ ଜଣାନ୍ତୁ, ଆମେ କେନ୍ଦ୍ରୀୟ ଫୋର୍ସର ବ୍ୟବସ୍ଥା କରିବୁ। ଏହାଛଡ଼ା ପୋଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ଭିଡିଓ କନଫରେନସିଂରେ ବୁଧବାର ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ଆନ୍ଦୋଳନ ରୋକିବାରେ କାହିଁକି ବିଫଳ ହେଲା ସେହି ବିଷୟରେ ସବିଶେଷ ତଥ୍ୟ ରଖିବାକୁ କହିପାରନ୍ତି ସୁପ୍ରିମକୋର୍ଟ। ସୂଚନାଯୋଗ୍ୟ, ପୂର୍ବରୁ ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ଏକ ବେଞ୍ଚ ସ୍ଥାପନ ଓ ଅନ୍ୟାନ୍ୟ ଦାବି ନେଇ ଆନ୍ଦୋଳନ କରୁଥିବା ଓକିଲମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ। ସେମାନଙ୍କ ଲାଇସେନ୍ସ ସସପେଣ୍ଡ୍ କରିବାକୁ ବାର କାଉନସିଲ ଅଫ ଇଣ୍ଡିଆକୁ କହିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ସଂଜୟ କିଷନ କୌଲ ଓ ଜଷ୍ଟିସ୍ ଅଭୟ ଏସ.ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ ବାର କାଉନସିଲକୁ ଏହା କହିବା ସହ ଯେଉଁ ଜିଲ୍ଲା ବାର ଆସୋସିଏସନର ସଦସ୍ୟମାନେ ଏହି ଆନ୍ଦୋଳନରେ ଅଂଶଗ୍ରହଣ କରୁଛନ୍ତି, ସେସବୁ ବାର ଆସୋସିଏସନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ବେଞ୍ଚ୍ ଆହୁରି ମଧ୍ୟ କହିଥିଲେ ଯେ କୋର୍ଟଗୁଡ଼ିକରେ ଶତ ପ୍ରତିଶତ କାମ ଆରମ୍ଭ ହେବା ଦରକାର, ଏହାଛଡ଼ା ଆଉ କିଛି ବିକଳ୍ପ ନାହିଁ । ଏପରି ନହେଲେ ସେମାନେ ଏହାର ପରିଣତିର ସମ୍ମୁଖୀନ ହେବେ । ଜଷ୍ଟିସ୍ କୌଲ ଆହୁରି ମଧ୍ୟ କହିଥିଲେ ଯେ, “ବାର ଆସୋସିଏସନଗୁଡ଼ିକୁ ଆମେ ପୂର୍ବରୁ ବି ସତର୍କ କରାଇଦେଇଥିଲୁ ଯେ ଯଦି ଆଇନ ପେସାର ଗରିମା ରକ୍ଷା ପାଇଁ ସେମାନେ ଉପଯୁକ୍ତ ଆଚରଣ ନ କରନ୍ତି, ତେବେ ସେମାନଙ୍କ ଉପରେ ଥିବା ସୁରକ୍ଷା ହଟାଇଦିଆଯିବ। ଆଇନର ଗରିମା ରକ୍ଷା ଓ କୋର୍ଟଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବାକୁ ଆମେ ଏବେ ଯାହା ନିର୍ଦ୍ଦେଶ ଦେଉଛୁ, ତାହା କରିବାକୁ ସେମାନଙ୍କ ଆଚରଣ ଆମକୁ ବାଧ୍ୟ କରିଛି । ବାର ଆସୋସିଏସନଗୁଡ଼ିକ ଯଦି ଚାହୁଁଛନ୍ତି ଯେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ, ତେବେ ଆମେ ତାହା କରିବୁ ।“

 

Breaking News