ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନ୍ୟାୟିକ ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ବିବାଦ ଜାରିରହିଛି। ଏହାରି ମଧ୍ୟରେ ସୁପ୍ରିମକୋର୍ଟରେ ସୋମବାର ୫ ଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି। ନବନିଯୁକ୍ତ ବିଚାରପତିଙ୍କ ସହ ସୁପ୍ରିମକୋର୍ଟରେ ବର୍ତ୍ତମାନ ବିଚାରପତିଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ନୂଆ ବିଚାରପତିଙ୍କ ନିଯୁକ୍ତି ସହ ସୁପ୍ରିମକୋର୍ଟରେ ରାଜ୍ୟମାନଙ୍କରୁ ପ୍ରତିନିଧିତ୍ବର ଅନୁପାତ ମଧ୍ୟ ବଦଳିଛି। ବର୍ତ୍ତମାନ ସୁପ୍ରିମକୋର୍ଟରେ ୧୮ଟି ରାଜ୍ୟରୁ ପ୍ରତିନିଧିତ୍ବ ରହିଛି। ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରୁ ଚାରି ଜଣ ଲେଖାଏ, ଗୁଜରାଟ ଏବଂ ମହାରାଷ୍ଟ୍ରରୁ ତିନି ଜଣ ଲେଖାଏ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ତାମିଲନାଡ଼ୁ, ପଶ୍ଚିମବଙ୍ଗରୁ ଦୁଇ ଜଣ ଲେଖାଏ, ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ହରିୟାଣା, ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡରୁ ଜଣେ ଲେଖାଏ ବିଚାରପତି ରହିଛନ୍ତି। ଅନ୍ୟ ପକ୍ଷରେ, ଓଡ଼ିଶା ସମେତ ଜାମ୍ମୁ-କାଶ୍ମୀର, ଝାଡ଼ଖଣ୍ଡ, ମଣିପୁର, ମେଘାଳୟ, ପଞ୍ଜାବ, ସିକିମ ଓ ତ୍ରିପୁରା ଭଳି ୯ଟି ହାଇକୋର୍ଟରୁ କୌଣସି ପ୍ରତିନିଧିତ୍ବ ନାହିଁ। ୨୦୧୯ ନଭେମ୍ବର ୧୭ରେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଅବସର ନେବା ପରଠାରୁ ଏବେ ସୁଦ୍ଧା ସୁପ୍ରିମକୋର୍ଟରେ ଅନ୍ୟ କୌଣସି ଓଡ଼ିଆ ବିଚାରପତି ନାହାନ୍ତି। ସୁପ୍ରିମକୋର୍ଟର ବିଚାରପତି ପାଇଁ ଓଡ଼ିଶାର କୌଣସି ବିଚାରପତି କିମ୍ବା ସୁପ୍ରିମକୋର୍ଟ ବାରରୁ କୌଣସି ବରିଷ୍ଠ ଓଡ଼ିଆ ଆଇନଜୀବୀଙ୍କ ନାମ ସୁପାରିସ କରାଯାଇନାହିଁ। ବିଚାରପତି ନିଯୁକ୍ତିରେ ରାଜ୍ୟମାନଙ୍କରୁ ପ୍ରତିନିଧିତ୍ବକୁ ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟ କଲେଜିୟମର କୌଣସି ବାଧ୍ୟବାଧ୍ୟକତା ନାହିଁ। କିନ୍ତୁ କଲେଜିୟମର ସୁପାରିସ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ବିଚାରପତିଙ୍କ ନିଯୁକ୍ତିରେ ରାଜ୍ୟର ପ୍ରତିନିଧିତ୍ବକୁ ସନ୍ତୁଳନ ରକ୍ଷା ପାଇଁ ପ୍ରୟାସ କରାଯାଇଥାଏ। ବିଗତ ୭୩ ବର୍ଷର ଇତିହାସରେ ଓଡ଼ିଶାରୁ ୭ ଜଣ ସୁପ୍ରିମକୋର୍ଟର ବିଚାରପତି ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ତିନି ଜଣ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ।






More Stories
ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ଘୋଷଣା…..
ଆଜିଠୁ ବଜେଟ୍ ଅଧିବେଶନର ୨ୟ ପର୍ଯ୍ୟାୟ….
କାଲି ମିଳିବ ସୁଭଦ୍ରା ଟଙ୍କା…..