ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଶପଥ ନେବେ ସୁପ୍ରିମକୋର୍ଟର ୩ ଜଣ ନୂଆ ବିଚାରପତି । ଜଷ୍ଟିସ୍ ଏନ.ଭି. ଅଞ୍ଜାରିଆ, ଜଷ୍ଟିସ ବିଜୟ ବିଷ୍ଣୋଇ ଏବଂ ଜଷ୍ଟିସ୍ ଅତୁଲ ଏସ୍. ଚନ୍ଦୁରକର । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର. ଗଭାଇ ଆଜି ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ସର୍ବୋଚ୍ଚ ନ୍ୟାୟାଳୟରେ ୩ ନୂଆ ବିଚାରପତିଙ୍କ ନିଯୁକ୍ତିକୁ ଗତକାଲି ମଞ୍ଜୁର କରିଥିଲେ କେନ୍ଦ୍ର ସରକାର । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ ଏନେଇ ‘ଏକ୍ସ’ରେ ପୋଷ୍ଟ କରିଥିଲେ । ଏହାଦ୍ବାରା ସୁପ୍ରିମକୋର୍ଟରେ ନିର୍ଦ୍ଧାରିତ ପୂର୍ଣ୍ଣ ସଦସ୍ୟଙ୍କ ସଂଖ୍ଯା ୩୪ ଜଣରେ ପହଞ୍ଚିଛି । ଜଷ୍ଟିସ ଅଞ୍ଜାରିଆ ୧୯୮୮ ମସିହାରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ୨୦୧୧ ମସିହା ନଭେମ୍ବର ୧୧ ତାରିଖରେ ଗୁଜରାଟ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ପରେ ୨୦୧୩ ସେପ୍ଟେମ୍ବରରେ ଗୁଜରାଟ ହାଇକୋର୍ଟର ପୂର୍ଣ୍ଣକାଳୀନ ବିଚାରପତି ଭାବରେ ଦାୟିତ୍ୱ ନେଇଥିଲେ । ୨୦୨୪ ମସିହା ଫେବ୍ରୁଆରୀ ୨୫ରେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଇଥିଲେ । ଜଷ୍ଟିସ ବିଷ୍ଣୋଇ ୧୯୮୯ ମସିହାରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ସେ ୨୦୧୩ ମସିହାରେ ରାଜସ୍ଥାନ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ନେଇଥିଲେ । ଏହାପରେ ୨୦୧୫ରେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ନେଇଥିଲେ । ଜଷ୍ଟିସ ଏ.ଏସ୍. ଚନ୍ଦୁରକର ମଧ୍ୟ ୧୯୮୮ ମସିହାରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ସେ ୨୦୧୩ ମସିହାରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ଦାୟିତ୍ୱ ନେଇଥିଲେ । କଲେଜିୟମରେ ସର୍ବୋଚ୍ଚ ନ୍ୟାୟାଳୟର ୫ ଜଣ ବରିଷ୍ଠ ବିଚାରପତି ରହିଛନ୍ତି। ପ୍ରଧାନ ବିଚାରପତି ବିଆର୍ ଗଭାଇଙ୍କ ସମେତ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ଜେକେ ମାହେଶ୍ୱରୀ ଏବଂ ଜଷ୍ଟିସ୍ ବିଭି ନାଗରତ୍ନା ବିଚାରପତି ଚୟନ କମିଟିର ସଦସ୍ୟ ଅଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..