Report Card Odisha

| Daily Odia News

ନଭେମ୍ବର ୧୪ରୁ ୧୬ ପର୍ଯ୍ୟନ୍ତ ‘ସୁରଭି’ କାର୍ଯ୍ୟକ୍ରମ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନଭେମ୍ବର ମାସ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ସୁରଭି କାର୍ଯ୍ୟକ୍ରମ | ବିଦ୍ୟାଳୟ ଏବଂ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତାଙ୍କ ଲୋକସେବା ଭବନ ସ୍ଥିତ କାର୍ଯ୍ୟାଳୟରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ନଭେମ୍ବର ମାସ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଯାଇଛି । ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ, ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ସକାରାତ୍ମକ ପ୍ରତିଯୋଗିତା ମନୋଭାବ ଆଣିବା ପାଇଁ ଚଳିତ ଶିକ୍ଷାବର୍ଷରୁ ‘ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର’ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାରେ ବ୍ଲକ ଏବଂ ଜିଲାସ୍ତରୀୟ ପ୍ରତିଯୋଗିତାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ପୁରସ୍କାର ମହୋତ୍ସବ ଆୟୋଜିତ ହେବ । ଏହି ପ୍ରତିଯୋଗିତା ମହୋତ୍ସବ ଜରିଆରେ ରାଜ୍ୟର ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ, ୧୫୦୦ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ତଥା ଶିକ୍ଷା ପରିଚାଳନାରେ ସଂମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହନ ଏବଂ ସମ୍ବର୍ଦ୍ଧନା ଦିଆଯିବ । ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ୧୯୪୧ ବିଦ୍ୟାର୍ଥୀ ଏବଂ ୧୫୫୯ ଶିକ୍ଷକ/ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିବେ । ବୈଠକରେ ଓଡ଼ିଶା ସମଗ୍ର ଶିକ୍ଷା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର, ମାଧ୍ୟମିକ ବୋର୍ଡର ଅଧ୍ୟକ୍ଷ ରାମାସିସ ହାଜିରା, ଅତିରିକ୍ତ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର, ଖଗେନ୍ଦ୍ର କୁମାର ପାଢ଼ୀଙ୍କ ସମେତ ବିଭାଗୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।

Breaking News