Report Card Odisha

| Daily Odia News

ତହସିଲଦାର ଅଶ୍ୱିନୀ ପଣ୍ଡା ସସପେଣ୍ଡ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବାମରା ତହସିଲଦାର ଅଶ୍ୱିନୀ ପଣ୍ଡାଙ୍କୁ ରାଜ୍ୟ ସରକାର ସସ୍‌ପେଣ୍ଡ କରିଛନ୍ତି । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ ଟିମ। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୯ରେ ଟପ୍ପର ହୋଇଥିବା ଅଶ୍ୱିନୀ କୁମାର ପଣ୍ଡା ଗତ ଶୁକ୍ରବାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଥିଲେ। ଚାଷଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଅଭିଯୋଗକାରୀଙ୍କଠାରୁ ଅଶ୍ୱିନୀଙ୍କ ପାଇଁ ଲାଞ୍ଚ ନେଉଥିବାବେଳେ ତାଙ୍କ ଅଫିସ ଡ୍ରାଇଭର ପି. ପ୍ରବୀନ କୁମାରଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିଲା। ଅଭିଯୁକ୍ତଦ୍ୱୟଙ୍କୁ ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବେଳେ ଏବେ ତହସିଲଦାର ଅଶ୍ୱିନୀ ପଣ୍ଡାଙ୍କୁ ସସପେଣ୍ଡ କରାଯାଇଛି। ଭିଜିଲାନ୍ସର ସୂଚନା ଅନୁଯାୟୀ, ଅଭିଯୋଗକାରୀ ବାମରାର ଭିକି ନାୟକ ତାଙ୍କର ଏକ ଚାଷଜମିକୁ ଘରବାଡି କିସମରେ ପରିବର୍ତ୍ତନ ପାଇଁ ମାସେ ତଳେ ଆବେଦନ କରିଥିଲେ। ହେଲେ ଜମିର କିସମ ପରିବର୍ତ୍ତନ କରି ରେକର୍ଡ ଅଫ ରାଇଟ୍ସ (ଆର୍‌ଓଆର୍‌) ଦେବା ପାଇଁ ତହସିଲ୍ଦାର ଅଶ୍ୱିନୀ ୨୦ ହଜାର ଟଙ୍କା ଦାବି କରିଥିଲେ। ଏତେ ଟଙ୍କା ଦେବାକୁ ଭିକି ଅକ୍ଷମତା ପ୍ରକାଶ କରିବାରୁ ଅଶ୍ୱିନୀ ଲାଞ୍ଚ ଟଙ୍କାକୁ କମାଇ ୧୫ ହଜାର କରିଦେଇଥିଲେ। ଟଙ୍କା ନ ଦେଲେ କାମ ଆଗେଇବ ନାହିଁ ବୋଲି ରୋକଠୋକ କହିଦେଇଥିଲେ। ଅନ୍ୟ କୌଣସି ଉପାୟ ନ ପାଇ ଭିକି ଭିଜିଲାନ୍ସ ନିକଟରେ ଗୁରୁବାର ଅଭିଯୋଗ କରିଥିଲେ। ଏହାପରେ ଭିଜିଲାନ୍ସ ଅଶ୍ୱିନୀଙ୍କୁ ଧରିବାକୁ ଜାଲ ବିଛାଇଥିଲା।

Breaking News