Report Card Odisha

| Daily Odia News

ତାଜମହଲ ଇତିହାସ ମୂଲ୍ୟାୟନ ମାମଲାକୁ ବିଚାରକୁ ନେଲେ ନାହିଁ ସୁପ୍ରିମ୍‌ କୋର୍ଟ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସ୍ମାରକୀ ବିଷୟରେ ଐତିହାସିକ ତଥ୍ୟାବଳି ଧାର୍ଯ୍ୟ କରିବା ପାଇଁ ଅଦାଲତ ଉଦ୍ଦିଷ୍ଟ ନୁହେଁ | ସୁପ୍ରିମ୍‌ କୋର୍ଟ ପ୍ରସିଦ୍ଧ ତାଜମହଲର ବାସ୍ତବ ବୟସ ଓ ବାସ୍ତବ ଇତିହାସ ଆକଳନ ପାଇଁ ଆଗତ ଜନସ୍ବାର୍ଥ ମାମଲାକୁ ବିଚାରକୁ ନେବା ପାଇଁ ଅଗ୍ରାହ୍ୟ କରି ଦେଇଛନ୍ତି। ବିଚାରପତି ଏମ୍‌.ଆର୍‌. ଶାହ ଏବଂ ସି.ଟି. ରବିକୁମାରଙ୍କ ଖଣ୍ଡପୀଠ ହରିୟାଣାର ଆବେଦନକାରୀ ସୁରଜିତ ଯାଦବଙ୍କ ତରଫରୁ ହାଜର ହୋଇଥିବା ଓକିଲଙ୍କୁ କହିଲେ, ସବୁ କଥା ଅଦାଲତକୁ ଆଣନ୍ତୁ ନାହିଁ। ୪୦୦ ବର୍ଷ ପରେ ଆମେ କ’ଣ ତାଜମହଲର ବୟସ ଓ ତହିଁରେ ନିହିତ ଥିବା ଐତିହାସିକ ତଥ୍ୟାବଳି ଆକଳନ କରିପାରିବୁ| ଯାଦବଙ୍କ ଓକିଲ କହିଥିଲେ କି, ୧୭ଶ ଶତାବ୍ଦୀର ଏହି ସ୍ମାରକୀ ବିଷୟରେ ପାଠ୍ୟ ପୁସ୍ତକ ଓ ଇତିହାସ ପୁସ୍ତକରେ ଥିବା ଭୁଲ୍‌ ତଥ୍ୟାବଳି ହଟାଇ ଦେବା ଉଚିତ। ମୋଗଲ ସମ୍ରାଟ୍‌ ଶାହାଜାହାନ୍‌ ତାଜମହଲ ନିର୍ମାଣ କରାଇବା ଆଗରୁ ଏହାର ମୂଳଦୁଆ ପଡ଼ିଥିଲା କି, ନାହିଁ ତାହା ଧାର୍ଯ୍ୟ କରିବା ପାଇଁ ଏହି ପିଟିସନ୍‌ ଦାଏର କରାଯାଇଛି। ଖଣ୍ଡପୀଠ କହିଲେ, ଆପଣ କରିଥିବା ନିବେଦନ ପଢ଼ିଲୁ। ଭୁଲ୍‌ ତଥ୍ୟ ଉଠାଇ ଦିଆଯାଉ ବୋଲି ନିବେଦନ କରିଛନ୍ତି। କିନ୍ତ, ଠିକ୍‌ ତଥ୍ୟ ନିର୍ଦ୍ଧାରଣ କରିବ କିଏ | କ’ଣ ଆପଣ ନିର୍ଦ୍ଧାରଣ କରିବେ| ଏହା କ’ଣ ଅଦାଲତଙ୍କ କାମ | ଖଣ୍ଡପୀଠଙ୍କ ଏଭଳି ଉତ୍ତର ଶୁଣି ଓକିଲ ଉକ୍ତ ଜନସ୍ବାର୍ଥ ମାମଲା ପ୍ରତ୍ୟାହାର କରି କହିଲେ କି, ତାଙ୍କ ମହକିଲ ବରଂ ଭାରତର ପ୍ରତ୍ନତାତ୍ତ୍ବିକ ସର୍ଭେରେ ଆବେଦନ କରିବେ।

Breaking News