ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ଡିଏମ୍କେ ନେତା କେ ପୋନ୍ମୁଡ଼ିଙ୍କୁ କ୍ୟାବିନେଟ୍ ମନ୍ତ୍ରୀଭାବେ ତାମିଲନାଡ଼ୁ ରାଜ୍ୟପାଳ ଆର୍ଏନ୍ ରବି ଶପଥ ପାଠ କରାଇଛନ୍ତି। ଶୁକ୍ରବାର ରାଜ୍ୟପାଳ ଆର୍ଏନ୍ ରବି ପୋନ୍ମୁଡ଼ିଙ୍କୁ ଚିଠି ଲେଖି ଅପରାହ୍ଣ ୩ଟା ୩୦ ମିନିଟ୍ରେ ଶପଥ ଗ୍ରହଣ କରିବାକୁ ଆମନ୍ତ୍ରଣ କରିଥିଲେ। ଏନେଇ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠଙ୍କଠାରେ ଆଟର୍ନି ଜେନେରାଲ୍ (ଏଜି) ଆର୍ ଭେଙ୍କେଟରମଣି ତଥ୍ୟ ଉପସ୍ଥାପନ କରି କୋର୍ଟଙ୍କୁ ଅସମ୍ମାନ ପ୍ରଦର୍ଶନ କରିବାରେ ରାଜ୍ୟପାଳଙ୍କ କାଣିଚାଏ ମଧ୍ୟ ଇଚ୍ଛାନାହିଁ ବୋଲି ଦର୍ଶାଇଥିଲେ। ରାଜ୍ୟପାଳଙ୍କ କାର୍ଯ୍ୟାଳୟର ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପୋନମୁଡ଼ିଙ୍କୁ ପୁନର୍ବାର କ୍ୟାବିନେଟ୍ରେ ସ୍ଥାନିତ କରାଯାଇଛି। ତାଙ୍କୁ ପୂର୍ବର ଉଚ୍ଚଶିକ୍ଷା ବିଭାଗ ସହ ବୈଷୟିକ ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ମାଡ୍ରାସ୍ ଉଚ୍ଚନ୍ୟାୟାଳୟ ଦ୍ବାରା ୩ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ ହୋଇଥିଲେ ପୋନ୍ମୁଡ଼ି। ଏହାପରେ ସୁପ୍ରିମକୋର୍ଟ ପୋନ୍ମୁଡ଼ିଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ତାଙ୍କୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ତେବେ ଦଣ୍ଡାଦେଶ କେବଳ ସ୍ଥଗିତ ରହିଛି ଖାରଜ ହୋଇନାହିଁ ଦର୍ଶାଇ ତାମିଲନାଡ଼ୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଅଗ୍ରାହ୍ୟ କରିଦେଇଥିଲେ। ଗୁରୁବାର ସୁପ୍ରିମକୋର୍ଟ ଏହି ମାମଲାରେ ରାଜ୍ୟପାଳଙ୍କ ପ୍ରତି ତୀବ୍ର ବିରକ୍ତ ପ୍ରକାଶ କରିବା ସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଶପଥ ଗ୍ରହଣ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..