Report Card Odisha

| Daily Odia News

କାରଖାନାରେ ‘ଆମୋନିଆ ଗ୍ୟାସ୍‌’ ଲିକ୍‌, ୧୨ ଅସୁସ୍ଥ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାମିଲ୍‌ନାଡୁର ଏନ୍ନୋର୍‌ସ୍ଥିତ ଏକ ଘରୋଇ ସାର କମ୍ପାନୀର କାରଖାନାରୁ ‘ଆମୋନିଆ’ ଗ୍ୟାସ୍‌ ଲିକ୍‌ହୋଇ ୧୨ ଜଣ ଅସୁସ୍ଥ ହୋଇଥିଲେ | ଅସୁସ୍ଥ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ପୋଲିସ କହିଛି। ଘଟଣାଟି ସାର ଉତ୍ପାଦନକାରୀ କମ୍ପାନି ‘କରମଣ୍ଡଳ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଲିମିଟେଡ୍‌’ରେ ଘଟିଛି। ‘ଆମୋନିଆ’ ଗ୍ୟାସ୍‌କୁ ଉକ୍ତ କମ୍ପାନି କଞ୍ଚାମାଲ୍‌ ଭାବେ ବ୍ୟବହାର କରେ। ପାଇପ୍‌ରୁ ‘ଆମୋନିଆ’ ଗ୍ୟାସ୍‌ ଲିକ୍‌ ହେଉଥିବା ଖବର ରାତି ୧୨.୪୫ରେ କମ୍ପାନିରୁ ପାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ପାଇପ୍‌ଲାଇନ୍‌ ‘ପ୍ରି-କୁଲିଙ୍ଗ୍‌’ କରାଯାଉଥିବା ବେଳେ ଗ୍ୟାସ୍‌ ଲିକ୍‌ ହୋଇଥିବା ଜଣାପଡ଼ିଛି। ଗ୍ୟାସ୍‌ ଲିକ୍‌ ଘଟଣା ପେରିୟାକୁପ୍ପମ୍‌ ଓ ଚିନ୍ନାକୁପ୍ପମ୍‌ ଗ୍ରାମ ସମେତ ସେ ଅଞ୍ଚଳର ବାସିନ୍ଦାଙ୍କୁ ଭୟଭୀତ କରି ପକାଇଥିଲା। ଉତ୍କଟ ଗନ୍ଧ ସେମାନଙ୍କ ନାକ ରୁନ୍ଧି ପକାଇବା ସହିତ ଶ୍ବାସକ୍ରିୟାରେ ବାଧା ସୃଷ୍ଟି କରିଥିଲା। କେତେକଙ୍କୁ ଭୀଷଣ ଅଶ୍ବସ୍ତି ମଧ୍ୟ ଲାଗିଥିଲା। ଅବିଳମ୍ବେ ପୋଲିସ ଓ ଜିଲ୍ଲା ପ୍ରଶାସନ ଆମ୍ବୁଲାନ୍‌ସ୍‌ ଓ ଅନ୍ୟା ଗାଡ଼ି ବ୍ୟବସ୍ଥା କରି ସ୍ଥାନୀୟ ବାସିନ୍ଦାମାନଙ୍କୁ କମ୍ୟୁନିଟି ହଲ୍‌ ଓ ଅନ୍ୟାନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ପୋଲିସ ଅଧିକାରୀମାନେ କହିଛନ୍ତି, ଗ୍ୟାସ୍‌ ଲିକ୍‌ ଘଟଣା ଯୋଗୁଁ ୧୨ଜଣ ଗ୍ରାମବାସୀଙ୍କୁ ‘ଷ୍ଟେନ୍‌ଲି ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲଥିବା ଜଣାପଡିଛି ।

Breaking News