Report Card Odisha

| Daily Odia News

ହାଇସ୍କୁଲ୍‌ରେ ନିଯୁକ୍ତି ପାଇବେ ୭୫୪୦ ଶିକ୍ଷକ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଖୁବ୍‌ଶୀଘ୍ର ସରକାରୀ ହାଇସ୍କୁଲ୍‌ରେ ୭୫୪୦ ଶିକ୍ଷକ, ଶିକ୍ଷୟିତ୍ରୀ ନିଯୁକ୍ତି ପାଇବେ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍ କମିସନ୍‌ଙ୍କୁ ଅନୁରୋଧ କରାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଶେଷହେଲେ ରାଜ୍ୟର ସମସ୍ତ ୪୮୪୮ ସରକାରୀ ହାଇସ୍କୁଲ୍‌ର ସବୁ ଶିକ୍ଷକ ପଦବି ପୂରଣ ହୋଇପାରିବ। ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ବିଭିନ୍ନ ବିଷୟରେ ଖାଲିଥିବା ଶିକ୍ଷକ ପଦବି ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବାପରେ ସରକାରୀ ସ୍ତରରେ ଏହି ତତ୍ପରତା ପ୍ରକାଶ ପାଇଛି। ଟିଜିଟି , ଟିଜିଟି , ସଂସ୍କୃତ, ହିନ୍ଦି, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବି ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ। ୨୦୨୧-୨୨ ବର୍ଷରେ କରାଯାଇଥିବା ଦୁଇଟି ଚୟନ ପ୍ରକ୍ରିୟାରେ ୧୩ ହଜାରରୁ ଅଧିକ ଶିକ୍ଷକ ପଦବି ପୂରଣ କରାଯାଇ ବିଭିନ୍ନ ସରକାରୀ ବିଦ୍ୟାଳୟରେ ନିଯୁକ୍ତ କରାଯାଇଥିଲା। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମରେ ରୂପାନ୍ତର ଆଣିବା ପ୍ରକ୍ରିୟା ଜାରି ରହିଥିବା ବେଳେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଇ ପିଲାମାନଙ୍କ ପାଇଁ ଆଧୁନିକ ଶିକ୍ଷା ବ୍ୟବସ୍ଥା କରାଯାଇଛି। କମ୍ପ୍ୟୁଟର, ଇଣ୍ଟରନେଟ ଠାରୁ ଆରମ୍ଭ କରି ଇ-ଲାଇବ୍ରେରି, ଉନ୍ନତ ଖେଳ ଉପକରଣ ଓ ପଡ଼ିଆ ତଥା ଅନ୍ୟାନ୍ୟ ସୁବିଧାର ବିକାଶ କରାଯାଉଛି। ୫-ଟିରେ ନିଯୁକ୍ତି କାର୍ଯ୍ୟକ୍ରମକୁ ମଧ୍ୟ ତ୍ବରାନ୍ବିତ କରାଯାଉଛି। ବିଭିନ୍ନ ବିଭାଗରେ ଥିବା ଖାଲି ପଦବିଗୁଡିକୁ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହିତ କ୍ଷିପ୍ର ଗତିରେ ପୂରଣ କରାଯାଉଛି। ଗତ କିଛିବର୍ଷ ମଧ୍ୟରେ ବିଭିନ୍ନ ବିଭାଗର ହଜାର ହଜାର ପଦବି ପୂରଣ କରାଯାଇଥିବା ବେଳେ ଏହି ନିଯୁକ୍ତି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ।

Breaking News