Report Card Odisha

| Daily Odia News

ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ସ୍ୱାଧୀନତା ସଂଗ୍ରାମୀ ଯୋଗିନ୍ଦ୍ର ମହାରଣାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ୯୪ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଦିବଂଗତ ସ୍ୱାଧୀନତା ସଂଗ୍ରାମୀ ଯୋଗିନ୍ଦ୍ର ମହାରଣାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟାଜିତ ଏକ ସ୍ମୃତି ସଭାରେ ବରିଷ୍ଠ ନେତା ତଥା ରାଜନୀତିଜ୍ଞ ନଟବର ବାରିକ, ପ୍ରଶାନ୍ତ ମଲ୍ଲିକ୍‌, ସୁଦର୍ଶନ ସାହୁ, ସତ୍ୟବ୍ରତ ମହାପାତ୍ର, ଅମରେନ୍ଦ୍ର ଦାସ, ବରିଷ୍ଠ ନାଟ୍ୟକାର ତଥା କଳାକାର ବାବାଜି ଚରଣ ସାହୁ ତଥା ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ଯୋଗଦେଇ ସ୍ବର୍ଗତ ମହାରଣାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ତାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ରାଜ୍ୟର ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଅଳା ଗ୍ରାମରେ ୧୯୨୯ ମସିହା ଜନ୍ମିତ ମହାରଣା ୧୨ ବର୍ଷ ବୟସରୁ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଭାରତର ସ୍ୱାଧିନତା ସଂଗ୍ରାମରେ ଯୋଗଦେଇ ଅନେକବାର ଜେଲ୍ ବରଣ ମଧ୍ୟ କରିଥିଲେ । ଭାରତ ମାତାର ମୁକ୍ତି ସଂଗ୍ରାମର ଶେଷ ପର୍ଯ୍ୟାୟରେ ନିଜ ଜୀବନକୁ ବାଜି ଲଗାଇଥିବା ମହାରଣାଙ୍କୁ ରାଜ୍ୟ ସରକାର ଓଡିଶା ଜ୍ୟୋତି ଉପାଧି ସହ ମାନ୍ୟବର ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବହୁବାର ସମ୍ବର୍ଦ୍ଧିତ ମଧ୍ୟ ହୋଇଥିଲେ । ଏହି ଅବସରରେ ମହାରଣାଙ୍କ ସ୍ମୃତିରେ ତାଙ୍କ ଜୀବନଯାତ୍ରାକୁ ନେଇ ଏକ ସ୍ମରଣିକା ମଧ୍ୟ ଉନ୍ମୋଚିତ କରାଯାଇଥିଲା । ସଂଘର ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ ତାଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ସ୍ମୃତିରେ ଏକ ପ୍ରତିମୂ ର୍ୀ ତଥା ଜିଲ୍ଲାର ଏକ ମୁଖ୍ୟ ରାସ୍ତାକୁ ଆଗାମୀ ପିଢି ମନେରଖିବା ପାଇଁ ତାଙ୍କ ନାମରେ ନାମିତ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ । ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୯୪ ମସିହାରେ ଯୁବଗୋଷ୍ଠିଙ୍କୁ ଏକତ୍ରିତ କରିବା ଲକ୍ଷରେ ଏହି ସଂଘକୁ ପ୍ରତିଷ୍ଠା କରିଥିବା ତାଙ୍କ ଜ୍ୟେଷ୍ଠ ପୁତ୍ର ଦୁଃଶାସନ ମହାରଣା ଏହି ଅବସରରେ ନିଜର ପିତା ତଥା ସଂଘ ମଧ୍ୟରେ ଥିବା ଏହି ଅତୁଟ ବନ୍ଧନ ଉପରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ବରିଷ୍ଠ ସଭ୍ୟ ଯୋଗଦେଇ ଏହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ସଂଘର ଏହି ଆଭିମୁଖ୍ୟକୁ ସ୍ଥାନୀୟ ବୁଦ୍ଧିଜୀବି ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

Breaking News