ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନେତୃତ୍ବରେ ୧୭ଟି ବ୍ୟାଙ୍କକୁ ନେଇ ଗଠିତ କନ୍ସୋର୍ଟିୟମ୍ରୁ ୩୪,୬୧୫ କୋଟି ଟଙ୍କାର ଠକେଇ ହୋଇଛି। ଏହାକୁ ନେଇ ସିବିଆଇ ପକ୍ଷରୁ ହାଉସିଂ ଫାଇନାନ୍ସ କଂପାନି ଡିଏଚ୍ଏଫ୍ଏଲ୍ର ପ୍ରତିଷ୍ଠାତା କପିଲ ଓ ଧୀରଜ ୱାଧୱାନଙ୍କ ନାମରେ ନୂଆ ମାମଲା ରୁଜୁ କରାଯାଇଛି। ଏହାକୁ ଦେଶର ସର୍ବବୃହତ ବ୍ୟାଙ୍କ ଠକେଇ କୁହାଯାଉଛି। ୨୦୧୦-୨୦୧୮ ମଧ୍ୟରେ ଏଥିରେ ଠକେଇ ହୋଇଛି। ଏହା ପୂର୍ବରୁ ଦେଶରେ ବିଭିନ୍ନ ସଂସ୍ଥା ଦ୍ବାରା ବଡ଼ ଧରଣର ଠକେଇ ହୋଇଥିଲା। କିନ୍ତୁ ସେଥିରେ ଏତେ ଅଧିକ ଟଙ୍କା ଜଡ଼ିତ ନଥିଲା। ଏବିଜି ସିପ୍ୟାର୍ଡ କରିଥିବା ଠକେଇ ୨୨,୮୪୨ କୋଟି ଟଙ୍କା ଆକଳନ କରାଯାଇଥିଲା। ତାହାକୁ ସବୁଠୁ ବଡ଼ ବ୍ୟାଙ୍କ ଠକେଇ ବିଚାର କରାଯାଉଥିଲା। ମାତ୍ର ଡିଏଚ୍ଏଫ୍ଏଲ୍ ପ୍ରତିଷ୍ଠାତାଙ୍କ ନାମରେ ନୂଆ ମାମଲା ରୁଜୁ ହେବା ପରେ ତାହା ସବୁଠୁ ବଡ଼ ଠକେଇ ଭାବେ ଉଭା ହୋଇଛି। ସିବିଆଇ ରୁଜୁ କରିଥିବା ମାମଲାରେ ଡିଏଚ୍ଏଫ୍ଏଲ୍ର ପୂର୍ବତନ ସିଏମ୍ଡି କପିଲ ୱାଧୱାନ, ନିର୍ଦେଶକ ଧୀରଜ ୱାଧୱାନ ଓ ଅନ୍ୟ ୬ଟି ରିଅଲ ଇଷ୍ଟେଟ୍ ସଂସ୍ଥାର ନାମ ରହିଛି। ଏହି ସମସ୍ତେ ମିଳିତ ଭାବେ ଅପରାଧିକ ଷଡ଼୍ଯନ୍ତ୍ର କରି ବ୍ୟାଙ୍କ କନ୍ସୋର୍ଟିୟମ୍କୁ ଠକିଛନ୍ତି। ଏହି ମାମଲାରେ ସିବିଆଇର ୫୦ରୁ ଅଧିକ ଅଧିକାରୀଙ୍କୁ ନେଇ ଗଠନ କରାଯାଇଥିବା ଟିମ୍ ମୁମ୍ବାଇର ୧୨ଟି ସ୍ଥାନରେ ଚଢ଼ଉ କରିଛନ୍ତି। ଡିଏଚ୍ଏଫ୍ଏଲ୍ର ପ୍ରତିଷ୍ଠାତା ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ପାଇଁ ବ୍ୟାଙ୍କ କନସୋର୍ଟିୟମ୍କୁ ୪୦,୬୨୩.୩୬ କୋଟି ଟଙ୍କାର କ୍ଷତି ହୋଇଥିବା ଅଭିଯୋଗ କରି ତାହାର ତଦନ୍ତ କରିବାକୁ ୟୁନିୟନ ବ୍ୟାଙ୍କ ପକ୍ଷରୁ ସିବିଆଇ ଲିଖିତ ଭାବେ ଅବଗତ କରାଯାଇଥିଲା। କନସୋର୍ଟିୟମ୍ ପକ୍ଷରୁ ନିଯୁକ୍ତି କରାଯାଇଥିବା ସଂସ୍ଥା କେପିଏମ୍ଜିର ରିପୋର୍ଟ ଆଧାରରେ ବ୍ୟାଙ୍କ ଏହି ଅଭିଯୋଗ କରିଥିଲା। ୨୦୨୨ ଫେବ୍ରୁଆରି ୧୧ରେ ସିବିଆଇ ସେହି ମାମଲା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଥିଲା। ୟେସ୍ ବ୍ୟାଙ୍କର କରିଥିବା ଠକେଇ ଅଭିଯୋଗରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ରେ ରୁଜୁ ହୋଇଥିବା ମାମଲା ଆଧାରରେ କପିଲ ଓ ଧୀରଜଙ୍କୁ ଗିରଫ କରାଯାଇଥିଲା। ଏବେ ସେମାନେ ମୁମ୍ବାଇର ତଲୋଜା ଜେଲ୍ରେ ଅଛନ୍ତି। ୟେସ୍ ବ୍ୟାଙ୍କର ସହ ପ୍ରତିଷ୍ଠାତା ରାଣା କପୁରଙ୍କ ସହ ମିଶି ସେମାନେ ଏହି ଠକେଇ କରିଥିଲେ।






More Stories
କୋର୍ଟକୁ ବୋମା ଧମକ…..
ରେପୋ ରେଟରେ ଅପରିବର୍ତ୍ତିତ…..
ପୁଣି ମଣିପୁରରେ ହିଂସା…..