ରିପୋର୍ଟ କାର୍ଡ / ଭୁବନେଶ୍ବର/ବଲାଙ୍ଗୀର
ଟଙ୍କା ଗଣି ଗଣି ଆୟକର ଅଧିକାରୀ ହାଲିଆ। ଟଙ୍କା ଗଣି ଗଣି ମେସିନ ବି ଖରାପ ହେଇଯାଉଛି | ବାହାର ଆଖପାଖ ବ୍ୟାଙ୍କ୍ରୁ ମେସିନ ମଗାଗଲା ହେଲେବି ସରୁନି ଟଙ୍କା ଗଣା। ଆଜି ଚତୁର୍ଥ ଦିନରେ ଟଙ୍କା ଗଣା ହେବ | ବ୍ୟାଙ୍କ ସକର୍ମଚାରୀଙ୍କର ଛୁଟି ଥିଲେ ମଧ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି | ଏବେବି ବି ଚଢ଼ଉ ଜାରି ରଖିଛି ଆୟକର ବିଭାଗ । ଇତିମଧ୍ୟରେ ପ୍ରବର୍ତ୍ତନ ନିର୍ଦେଶାଳୟ ଏହି ଘଟଣାର ତଦନ୍ତ କରିବ ବୋଲି ଜଣାପଡ଼ିଛି। ଭୁବନେଶ୍ବର, କଲକାତା ଓ ରାଞ୍ଚି ସମେତ ୩ଟି ରାଜ୍ୟର ୨୫ଟି ସ୍ଥାନରେ ଚଢ଼ଉ ଚାଲିଛି। ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼, ବୌଦ୍ଧ ଜିଲ୍ଲାରେ ତଲାସି କରାଯାଉଛି। ଓଡ଼ିଶା ଇତିହାସରେ ଏହା ସବୁଠାରୁ ବଡ଼ ଆୟକର ଚଢ଼ଉ। ମଦ ବ୍ୟବସାୟୀଙ୍କ ଘରୁ ତିନି ଦିନରେ ୫୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଥି ଜଣାପଡ଼ିଛି। କେଉଁଠୁ ଆସିଲା ଏତେ ଟଙ୍କା , ସେନେଇ ଖୋଳତାଡ଼ କରୁଛି ଆୟକର ବିଭାଗ। ଅନ୍ୟପଟେ ମହୁଲ କିଣାରେ ଟିକସ ଫାଙ୍କିବା ସନ୍ଦେହ କରି ଆଇଟି ବଲାଙ୍ଗୀର ଅବକାରୀ ବିଭାଗକୁ ସଂସ୍ଥାର ୪ବର୍ଷର ମିନିମମ୍ ଗ୍ୟାରେଣ୍ଟି କୁଟା (ଏମ୍ଜିକ୍ୟୁ) ମାଗିଛି। ଏହି ତଥ୍ୟା ଆଇଟିକୁ ଦିଆଯିବ ବୋଲି ବଲାଙ୍ଗୀର ଅବକାରୀ ଅଧୀକ୍ଷକ ସୀତାକାନ୍ତ ମୁଦୁଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି କାରବାରରେ ଝାଡ଼ଖଣ୍ଡର ଜଣେ ସାଂସଦଙ୍କ ସମ୍ପୃକ୍ତି ପଦାକୁ ଆସିବା ପରେ ରାଜନୈତିକ ମହଲରେ ଉଷ୍ଣତା ଦେଖା ଦେଇଛି। ପରସ୍ପରକୁ ଦୋଷ ଲଦାଲଦି ମଧ୍ୟ ଆରମ୍ଭ ହୋଇଯାଇଛି। ଚଢ଼ଉ ଶେଷ ହେବା ପରେ ଏହି କାରବାରରେ ସମ୍ପୃକ୍ତ ବ୍ୟକ୍ତି ନାମ ପଦାକୁ ଆସିବ ବୋଲି ଆଶଙ୍କା ରହିଛି। ବିଭାଗ କେବଳ ମଦ କାରଖାନା ଓ ଦୋକାନରେ ଚଢ଼ଉ କରିଥିବାବେଳେ ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କମ୍ପାନୀର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ରହିଛି। ଏସବୁ ସ୍ଥାନରେ ଆୟକର ବିଭାଗ ଚଢ଼ଉ କରିନଥିବା ଜଣାପଡ଼ିଛି। କେବଳ ଭୁବନେଶ୍ବରରେ ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କମ୍ପାନୀର ୪ଟିରୁ ଅଧିକ ସେଲୁନ ରହିଛି। ସେହିପରି ଟିଟିଲାଗଡ଼ରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଚାଲିଥିବା ସୂଚନା ମିଳିଛି। ସମସ୍ତ ସ୍ଥାନରେ ଚଢ଼ଉ ଲାଗି ବିଭାଗ ଯୋଜନା ଚଳାଇଛି। ଏହି ବ୍ୟବସାୟୀଙ୍କର ବଲାଙ୍ଗୀରରେ କେବଳ ୪୬ଟି ମଦ କାରଖାନା ଓ ଦୋକାନ ଥିବା ଜଣାପଡ଼ିଛି। ଆୟକର ଫାଙ୍କିବା ଅଭିଯୋଗରେ ଆଇଟି ବିଭାଗ ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ ସଂସ୍ଥା ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କମ୍ପାନୀରେ ଗତ ବୁଧବାର ଚଢ଼ଉ କରିଥିଲା। ତୃତୀୟ ଦିନରେ ବି ବିଭାଗ ଚଢ଼ଉ ଜାରି ରଖିଥିଲା। ସମ୍ବଲପୁର ଧନୁପାଲିରେ ଥିବା ମଦ ଗୋଦାମ, ବଡ଼ ବଜାରରେ ଥିବା କାର୍ଯ୍ୟାଳୟରେ ବିଭାଗ ଖାନତଲାସି ଜାରି ରଖିଛି। ଝାଡ଼ଖଣ୍ଡ, ରାଞ୍ଚି ଓ ବିହାରର ମଧ୍ୟ କେତେକ ସ୍ଥାନରେ ଥିବା ଏହି ମଦ କମ୍ପାନୀ କାର୍ଯ୍ୟାଳୟରେ ଚଢ଼ଉ କରାଯାଇ କୋଟି କୋଟି ଟଙ୍କା ଜବତ ହୋଇଥିବା ସୂଚନା ରହିଛି। ଏହି କମ୍ପାନୀରେ ରାଜନେତାଙ୍କ ଭାଗୀଦାରି ଥିବା ଜଣାପଡ଼ିବା ପରେ ସ୍ଥାନୀୟ ଆୟକର ବିଭାଗ କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ସେହିପରି ଟଙ୍କା ଗଣା ଯାଉଥିବା ବ୍ୟାଙ୍କକୁ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି | ଅନ୍ୟପଟେ ତଥ୍ୟ ପ୍ରମାଣ ନଷ୍ଟ ଲାଗି ଉପରୋକ୍ତ ମଦ ବ୍ୟବସାୟୀ ଉଦ୍ୟମ ଆରମ୍ଭ କରିଛନ୍ତି। ବୃହତ୍ତମ ସ୍ପିରିଟ୍ କାରଖାନା କୁହାଯାଉଥିବା ବୌଦ୍ଧ ଡିଷ୍ଟିଲାରି(ବିଡିପିଏଲ) ପଛପଟ ପାଚେରି ବାହାରେ ବସ୍ତା ବସ୍ତା ୫୦୦ ଟଙ୍କିଆ ନୋଟ୍ ଫିଙ୍ଗାଯାଇଛି। ସମସ୍ତ ନୋଟ୍ ଦୁଇଫାଳ କରି ଚିରା ହୋଇଛି। ସ୍ଥାନୀୟ ଲୋକେ ଏହି ଚିରା ଟଙ୍କା ବୋହି ନେଇଛନ୍ତି।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..