ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବଜେଟରେ କିଛି କ୍ଷେତ୍ରରେ ପଦେକ୍ଷପ ବେଶ ପ୍ରଶଂସନୀୟ। ତେବେ କେତେକ ଦିଗ ପ୍ରତି ବଜେଟରେ ଅଣଦେଖା କରାଯିବା ଚିନ୍ତାଜନକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଏଥିପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ବଜେଟ ପ୍ରତିକ୍ରିୟାରେ କହିଛନ୍ତି, ବଜେଟରେ ପୁଞ୍ଜି ନିବେଶକୁ ଅଗ୍ରାଧିକାର ମିଳିଛି। ପାନୀୟ ଜଳ ଓ ଗ୍ରାମ୍ୟ ଗୃହ ନିର୍ମାଣକୁ ଅଧିକ ଦୃଷ୍ଟି ଦିଆଯାଇଛି । ଏହା ବାସ୍ତବରେ ଦେଶର ଅଭିବୃଦ୍ଧିକୁ ଆଗକୁ ନେବା ସହ ଗ୍ରାମାଞ୍ଚଳର ସାମାଜିକ ବିକାଶରେ ସହାୟକ ହେବ। ବଜେଟରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ୍, ଇଣ୍ଟରନେଟ୍ ସହ ଆଦିମ ଜନଜାତିଙ୍କ ବିକାଶ ପାଇଁ ନିଆ ଯାଇଥିବା ପଦକ୍ଷେପ ବେଶ ପ୍ରଶଂସନୀୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେହିପରି ମିଲେଟ ଉପରେ ପ୍ରଧାନମନ୍ତ୍ରୀ ଭରସା କରିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଓଡ଼ିଶା ମିଲେଟ ମିଶନ ସମଗ୍ର ଦେଶରେ ଏକ ଅଭିନବ ପଦକ୍ଷେପ ଥିଲା ବୋଲି ସେ କହିଛନ୍ତି। ତେବେ ମନରେଗାରେ ସିଂହଭାଗ ପାଣ୍ଠି ହ୍ରାସ କରାଯାଇଛି। ଏହା ଗରିବ ଲୋକଙ୍କୁ ବହୁଳ ଭାବେ ପ୍ରଭାବିତ କରିବ। ଖାଦ୍ୟ ସୁରକ୍ଷା ସହ ଧାନ ସଂଗ୍ରହରେ ବଜେଟ ପାଣ୍ଠି ହ୍ରାସ ପାଇବା ଗରିବ ଓ ଚାଷୀକୂଳଙ୍କୁ ବାଧିବ ବୋଲି ସେ କହିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ ଧାନ ଓ ଅନ୍ୟ ଶସ୍ୟ ସଂଗ୍ରହ ପାଇଁ ୮୦ ହଜାର କୋଟିର ପାଣ୍ଠି ବରାଦ ହୋଇଥିଲା ବେଳେ ଚଳିତ ବଜେଟରେ ମାତ୍ର ୬୦ ହଜାର କୋଟି ବରାଦ ହୋଇଛି। ସର୍ବନିମ୍ନ ସହାୟକ ମୂଲ୍ୟରେ ଶସ୍ୟ ସଂଗ୍ରହ କ୍ଷେତ୍ରରେ ଏହା ବଡ଼ ପ୍ରତିବନ୍ଧକ ସାଜିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ଆର୍ଥିକ ବର୍ଷରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ ଲକ୍ଷ କୋଟି ବ୍ୟୟ ହୋଇଥିଲା ବେଳେ ଅର୍ଥମନ୍ତ୍ରୀ ଚଳିତ ବଜେଟରେ ଏହାକୁ ୧.୩୭ ଲକ୍ଷ କୋଟିକୁ ହ୍ରାସ କରିଛନ୍ତି। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରର ପାଣ୍ଠି ବରାଦରେ ଅଧିକ ଧ୍ୟାନ ଦେବାର ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଆୟୁଷ୍ମାନ ଭାରତ ଯୋଜନା ସଂପର୍କରେ କଡ଼ା ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଯୋଜନା ପାଇଁ ରାଜ୍ୟ ବିଜେପି ନେତାମାନେ ଓକିଲାତି କରୁଛନ୍ତି। ଏଥିପାଇଁ କେନ୍ଦ୍ର ବଜେଟରେ ମାତ୍ର ୭ ହଜାର ୨ ଶହ କୋଟି ଟଙ୍କା ସାରା ଦେଶ ପାଇଁ ବରାଦ ହୋଇଛି। କିନ୍ତୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାର ବାର୍ଷିକ ୨୪୦୦ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଯଦି ସରକାରୀ ସୁବିଧାକୁ ମିଶାଯାଏ ତେବେ ଏହାର ପରିମାଣ ବାର୍ଷିକ ୬ ହଜାର କୋଟି ଟଙ୍କା ଛୁଇଁବ। ରାଜ୍ୟ ସରକାର ସ୍ବାସ୍ଥ୍ୟକୁ ସବୁବେଳେ ଅଗ୍ରାଧିକାର ଦେଇ ଆସିଛନ୍ତି। ଏ ବାବଦକୁ ଅଧିକ ପାଣ୍ଠି ବ୍ୟୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।






More Stories
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..