Report Card Odisha

| Daily Odia News

ସରିଲା ଡିଜି ସମ୍ମିଳନୀ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ତିନି ଦିନ ବ୍ୟାପୀ ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ଡିଜି/ ଆଇଜିପି ସମ୍ମିଳନୀ ଶେଷ ହୋଇଛି। ବୈଠକରେ ଯୋଗଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ଦିଲ୍ଲୀ ଫେରିଯାଇଛନ୍ତି। ସମ୍ମିଳନୀରେ ସ୍ମାର୍ଟ ପୋଲିସ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ୟବସ୍ଥାକୁ ରଣନୀତିକ, ଯତ୍ନଶୀଳ, ନିର୍ଭରଯୋଗ୍ୟ ଓ ସ୍ୱଚ୍ଛ କରିବାକୁ ସେ ଦେଇଛନ୍ତି ଆହ୍ୱାନ। ଏଥିସହ ଡିଜିଟାଲ୍ ଠକେଇ ଓ ସାଇବର ଅପରାଧ ରୋକିବାକୁ AI ଉପଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଆସପିରେସନାଲ୍ ଇଣ୍ଡିଆ ହେଉଛି ଡବଲ୍ AI। କାର୍ଯ୍ୟଚାପ ହ୍ରାସ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରନ୍ତୁ। ବିକଶିତ ଭାରତକୁ ଦୃଷ୍ଟିରେ ରଖି ପୋଲିସ ବ୍ୟବସ୍ଥାର ଆଧୁନିକୀକରଣ ହେଉ। ହ୍ୟାକିଂ ରୋକିବାକୁ ଜାତୀୟ ପୋଲିସ ହ୍ୟାକାଥନ ଆପଣାଇବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଅପରାହ୍ଣ ୪ଟା ୧୫ ମିନିଟରେ ଲୋକସେବା ଭବନରୁ ସେମାନେ ସିଧା ବିମାନବନ୍ଦରକୁ ଯାଇଥିଲେ । କାରକେଡ୍ ଜରିଆରେ କଡ଼ା ସୁରକ୍ଷା ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବତନ୍ତ୍ର ବିମାନ ଯୋଗେ ଫେରିଯାଇଥିଲେ। ଏହାସହିତ ବୈଠକରେ ଯୋଗଦେବାକୁ ଆସିଥିବା ଉଚ୍ଚପଦସ୍ଥ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରୁ କିଛି ଅତିଥି ନିଜ ରାଜ୍ୟକୁ ଫେରି ଯାଇଛନ୍ତି। ଆଉ କିଛି ଆସନ୍ତାକାଲି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଯିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଅବସରରେ ପୋଲିସ କମିସନର ଦେବଦତ୍ତ ସିଂ କହିଛନ୍ତି ‌‌ଯେ ଡିଜି ଆଇଜିପି ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି। ବୈଠକ‌ ଆୟୋଜନକୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ। ବୈଠକକୁ ଭଣ୍ଡୁର କରିବା ପାଇଁ ବହୁ ବହୁ ଧମକପୂର୍ଣ୍ଣ କଲ, ମେଲ ଆସିଛି। ଏହାର ତଦନ୍ତ କରାଯାଉଛି। ‌

Breaking News