ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ପୂରା ଦେଶ ସ୍ତବ୍ଧ ହୋଇଯାଇଛି | ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଅର୍ଥନୀତିଜ୍ଞ ତଥା ବିଶିଷ୍ଟ ଶିକ୍ଷାବିତ ମନମୋହନ ସିଂହ ୯୨ ବର୍ଷ ବୟସରେ ପରଲୋକ ହୋଇଛି। ଗୁରୁବାର ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏମ୍ସର ଏମର୍ଜେନ୍ସି ୱାର୍ଡରେ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିଥିଲେ, କିନ୍ତୁ ସେମାନଙ୍କ ସମସ୍ତ ଚେଷ୍ଟା ବ୍ୟର୍ଥ ହୋଇଥିଲା ଓ ଶ୍ରୀ ସିଂହଙ୍କ ଚିରନିଦ୍ରାରେ ଶୋଇଯାଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ୭ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନମୋହନ ସିଂହଙ୍କ ଶେଷ କୃତ୍ୟ ସମ୍ପନ୍ନ ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନ ୧୧ଟାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ ବୋଲି ସୂଚନା ଦିଆଯାଇଛି। ୧୯୩୨ ମସିହାରେ ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ମନମୋହନ ସିଂହ, ତାଙ୍କ ଶିକ୍ଷାର ଆରମ୍ଭ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ହୋଇଥିଲା। ପରେ ସେ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ଭାରତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ଦାୟିତ୍ୱ ଭଳିଭାବେ ନିବାହ କରିଥିଲେ। ୧୯୯୧ରେ ଭାରତ ଗଭୀର ଆର୍ଥିକ ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ କ୍ୟାବିନେଟରେ ତାଙ୍କୁ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା। ସେ ଏକ ବୈପ୍ଳବିକ ଅର୍ଥନୀତିକ ସଂସ୍କାର ଆଣି, ଦେଶକୁ ଆର୍ଥିକ କ୍ଷେତ୍ରରେ ମଜବୁତ କରିଥିଲେ। ତାଙ୍କର ଏହି ଉଦ୍ୟମ ଭାରତକୁ ବିଶ୍ୱ ଦରବାରରେ ଅର୍ଥନୀତିର ଦୃଢ଼ ପ୍ଲାଟଫର୍ମ ତିଆରି କରିଦେଇଥିଲା | ୨୦୦୪ରେ, ଯୁପିଏର କ୍ଷମତାରୋହଣ ପରେ ମନମୋହନ ସିଂହ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ଦଶବର୍ଷ ଧରି (୨୦୦୪-୨୦୧୪) ପ୍ରଧାନମନ୍ତ୍ରୀ ରହି ଦେଶକୁ ଆଗକୁ ବଢ଼ାଇଥିଲେ। ସେ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଥିଲେ ଯିଏ ଲୋକସଭା ନ ଥାଇ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିଲେ। ଡ଼. ମନମୋହନ ସିଂହ ଭାରତର ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ଏବଂ ପ୍ରଗତିଶୀଳ ନେତା ଥିଲେ, ଯିଏ ଦେଶର ଅର୍ଥନୈତିକ ଉନ୍ନତି ଏବଂ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିଛନ୍ତି। ସେ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟଭାର ଗ୍ରହଣ କରିଥିଲେ ଏବଂ ତାଙ୍କର ପ୍ରଶାସନିକ ଯୋଗ୍ୟତା ଏବଂ ଅର୍ଥନୀତିକ ଭିଜନ ଦ୍ୱାରା ଦେଶରେ ଅନେକ ସଫଳ ପଦକ୍ଷେପ ଗ୍ରହଣ ହୋଇଛି। ତାଙ୍କର ଦୈର୍ଘ୍ୟପୂର୍ଣ୍ଣ ରାଜନୈତିକ ଏବଂ ଅର୍ଥନୀତିକ ଯାତ୍ରା ଭାରତର ପ୍ରତି ତାଙ୍କର ସ୍ନେହ ଏବଂ ଦୃଢ଼ ସଙ୍କଳ୍ପ ପ୍ରକାଶ କରେ। ଡ଼. ସିଂହଙ୍କ ସର୍ବଶ୍ରେଷ୍ଠ ଅବଦାନ ହେଉଛି ୧୯୯୧ ମସିହାରେ ଭାରତର ଅର୍ଥନୀତିକ ଲିବରାଲାଇଜେସନ୍। ସେ ସେହି ସମୟରେ ଅର୍ଥମନ୍ତ୍ରୀ ଥିଲେ ଏବଂ ଯେଉଁ ସମୟରେ ଭାରତ ଅର୍ଥନୈତିକ ସଙ୍କଟ ଲାଗି ରହିଥିଲା। ଏହି ସମୟରେ ସେ ନେଇଥିବା ପ୍ରଗତିଶୀଳ ଅର୍ଥନୈତିକ ପଦକ୍ଷେପ ଭାରତକୁ ବିଶ୍ବ ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇଥିଲା। ବୈଶ୍ୱିକରଣ ଦ୍ୱାରା ଭାରତର ଅର୍ଥନୀତିକ ସଂସ୍ଥାଗୁଡ଼ିକୁ ଶକ୍ତିଶାଳୀ ତଥା ଯୁଗୋପଯୁଗୀ କରାଯାଇଥିଲା। ମନମୋହନ ସିଂହଙ୍କର ଦେଶର ଅଭିବୃଦ୍ଧି ଓ ଉନ୍ନତି ଦିଗରେ ତାଙ୍କ ଅବଦାନ ଚିରସ୍ମରଣୀୟ | ତାଙ୍କ ବିୟୋଗ ଦେଶ ପାଇଁ ବଡ଼ କ୍ଷତି | ସାରା ଦେଶରେ ଖେଳିଯାଇଛି ଶୋକର ଛାୟା | ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।
More Stories
ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା….
ବିମାନ ଦୁର୍ଘଟଣା ନେଇ ଆମକୁ ଦୋଷ ଦିଅ ନାହିଁ….
ମନ୍ତ୍ରୀମାନେ ଜିଲ୍ଲା କଥା ବୁଝିବେ….