Report Card Odisha

| Daily Odia News

ଓଡ଼ିଶା ହାଇକୋର୍ଟରେ ବୃଦ୍ଧି ପାଇବ ବିଚାରପତି ସଂଖ୍ୟା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / କଟକ

ଓଡ଼ିଶା ହାଇକୋର୍ଟରେ ମଞ୍ଜୁରିପ୍ରାପ୍ତ ବିଚାରପତି ସଂଖ୍ୟା ବୃଦ୍ଧି ପାଇବ। ଏବେ ହାଇକୋର୍ଟରେ ମଞ୍ଜୁରିପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ଥିବା ବେଳେ ଏହା ୩୩କୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଏହି ପ୍ରସଂଗରେ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ବିଗତ କିଛିବର୍ଷ ମଧ୍ୟରେ ହାଇକୋର୍ଟରେ ଦାୟର ମାମଲା ସଂଖ୍ୟା ବହୁ ଅଧିକ ହୋଇଛି। ଏଥିସହିତ ଓଡ଼ିଶା ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍) ଉଚ୍ଛେଦ ପରେ ସେଠାରେ ବିଚାରାଧୀନ ଥିବା ମାମଲାଗୁଡ଼ିକ ଶୁଣାଣି ପାଇଁ ହାଇକୋର୍ଟକୁ ସ୍ଥାନାନ୍ତର ହୋଇଆସୁଛି। ପୂର୍ବରୁ ସ୍ୟାଟରେ ଦାୟର କରାଯାଉଥିବା ମାମଲା ଏବେ ହାଇକୋର୍ଟରେ ସିଧା ସଳଖ ଦାୟର କରାଯାଉଛି। ମାମଲା ସଂଖ୍ୟା ଓ ଅନ୍ୟାନ୍ୟ କେତେକ ପ୍ରସଂଗକୁ ବିଚାରକୁ ନେଇ ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ବୃଦ୍ଧି କରାଯିବ ବୋଲି ସୂଚନା ମିଳିଛି। ହାଇକୋର୍ଟ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୧୯, ଡିସେମ୍ବର ୩୧ ତାରିଖରେ ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୫୦ ହଜାର ୬୩୭ ଥିବା ବେଳେ ୨୦୨୦, ଡିସେମ୍ବର ୩୧‌ ତାରିଖରେ ଏହି ସଂଖ୍ୟା ଥିଲା ୧ ଲକ୍ଷ ୭୨ ହଜାର ୮୯୫ । ୨୦୨୨, ଫେବ୍ରୁଆରି ଏକ ତାରିଖ ସୁଦ୍ଧା ହାଇକୋର୍ଟରେ ୨ ଲକ୍ଷ ୨ ହଜାର ୨୮୯ଟି ମାମଲା ବିଚାରାଧୀନ ରହିଥିବା ୱେବ୍‌ସାଇଟ୍‌ରେ ଉପଲବ୍ଧ ତଥ୍ୟରୁ ସ୍ପଷ୍ଟ ହୋଇଛି। ହାଇକୋର୍ଟରେ ବିଚାରାଧୀନ ମାମଲା ପ୍ରସଂଗରେ ଏହା ରେକର୍ଡ ବୋଲି କୁହାଯାଉଛି। ପୂର୍ବରୁ କେବେ ବି ବିଚାରାଧୀନ ମାମଲା ଦୁଇ ଲକ୍ଷ ଅତିକ୍ରମ କରି ନଥିଲା। ଅନ୍ୟପକ୍ଷରେ ହାଇକୋର୍ଟରେ ଏବେ ମୁଖ୍ୟ ବିଚାରପତିଙ୍କ ସମେତ ୧୮ ଜଣ ବିଚାରପତି ରହିଛନ୍ତି। ବିଚାରପତି ପଦରେ ନିଯୁକ୍ତି ପାଇଁ ଚାରି ଜଣ ଆଇନଜୀବୀଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୨ରେ ପହଞ୍ଚିବ। ବିଗତ ବର୍ଷଗୁଡ଼ିକରେ ମାମଲା ସଂଖ୍ୟା ବହୁତ ବଢ଼ିଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ଓଡ଼ିଶା ହାଇକୋର୍ଟରେ ମଞ୍ଜୁରିପ୍ରାପ୍ତ ବିଚାରପତି ସଂଖ୍ୟା ବୃଦ୍ଧି କରାଯାଇ ନାହିଁ ବୋଲି ଅନେକ ସମୟରେ ଅଭିଯୋଗ ହୋଇଆସୁଛି।

Breaking News