ରିପୋର୍ଟ କାର୍ଡ / ଭୁବନେଶ୍ୱର
ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ତାରିଣୀଗଡ଼ା ଅଞ୍ଚଳର ବହୁଚର୍ଚ୍ଚିତ ବଳାତ୍କାର ଓ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଥିବାବେଳେ ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଯୁବତୀଙ୍କ ପ୍ରେମିକ ସୋମନାଥ ଓଝା ଓ ବଳାତ୍କାର କରି ହତ୍ୟାକରିଥିବା ଝାଡ଼ଖଣ୍ଡ ଧାନବାଦ ଜିଲାର ଶୁଭମ କୁମାର ସିଂହ। ଏ ନେଇ ପାରାଦୀପ ଆଦର୍ଶ ଥାନାରେ ହତ୍ୟା ମାମଲା (ନଂ. ୫୪/୨୬) ରୁଜୁ କରାଯାଇଛି। ଏ ସମ୍ପର୍କରେ ଶୁକ୍ରବାର ସାରେ ଏସ୍ପି ଅଙ୍କିତ ବର୍ମା ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି। ମୃତା ଯୁବତୀଙ୍କ ଘର ତିର୍ତ୍ତୋଲ ଥାନା ଅଞ୍ଚଳରେ। ସେ ଗତ ରବିବାର ପ୍ରେମିକ ସୋମନାଥଙ୍କ ସହ ଶାରଳା ମନ୍ଦିର ଯାଇଥିଲେ। ସେଠାରୁ ଫେରିବାବେଳେ ଉଭୟଙ୍କ ମଧ୍ୟରେ ମନାନ୍ତର ହେବାରୁ ପ୍ରେମିକ ସୋମନାଥ ରାହାମାଠାରେ ଯୁବତୀଙ୍କୁ ଛାଡ଼ି ପଳାଇଥିଲେ। ରାହାମା ବଜାରରେ ଯୁବତୀଜଣକ ମନ ଦୁଃଖରେ ଠିଆ ହୋଇଥିଲାବେଳେ ମୁଖ୍ୟ ଅଭିଯୁକ୍ତ ଶୁଭମ୍ ତାଙ୍କୁ ପାରାଦୀପ ଠିକଣା ପଚାରି କଥାବାର୍ତ୍ତା କରିଥିଲେ। ଯୁବତୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରି ଶୁଭମ୍ ତାଙ୍କୁ ପାରାଦୀପ ତାରିଣୀଗଡ଼ାସ୍ଥିତ ଭଡ଼ାଘରକୁ ନେଇଥିଲେ। ଭଡ଼ାଘରେ ୭ ଜଣ ଯୁବକ ରହୁଥିଲେ। ଶୁଭମ୍ଙ୍କ କୋଠରିରେ ୩ ଜଣ ଥିଲେ। ରାତିରେ ଖାଇସାରି ଶୁଭମ୍ ଯୁବତୀଙ୍କୁ ନେଇ ଛାତ ଉପରେ ଭୟ ଦେଖାଇ ବଳାତ୍କାର କରିଥିଲେ। ଉକ୍ତ ଘଟଣାକୁ ଯୁବତୀ ଜଣକ ବାହାରେ କହିବେ ବୋଲି କହିବାରୁ ତାଙ୍କୁ ଛାତରୁ ଠେଲି ଶୁଭମ୍ ହତ୍ୟା କରିଥିଲେ ବୋଲି ଏସ୍ପି ବର୍ମା କହିଛନ୍ତି। ହତ୍ୟା ଘଟଣାରେ ପ୍ରେମିକ ସୋମନାଥଙ୍କ କୌଣସି ସମ୍ପୃକ୍ତି ନାହିଁ ବୋଲି ଏସ୍ପି କହିଥିଲେ। ତେବେ ଯୁବତୀଙ୍କ ସହିତ ଗତ ଦୁଇ ବର୍ଷ ହେଲା ଦୈହିକ ସମ୍ପର୍କ ସ୍ଥାପନ କରିବା, ପ୍ରଲୋଭନ ଦେଖାଇ ସାଙ୍ଗରେ ନେଇ ଅଧାରାସ୍ତାରେ ଛାଡ଼ିବା ଆଦି ଘଟଣାରେ ସୋମନାଥଙ୍କୁ ଗିରଫ କରାଯାଇଛି। aଜବତ ସାମଗ୍ରୀ ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ବାଇକ, ୩ ମୋବାଇଲ ଫୋନ୍, ଯୁବତୀଙ୍କ ପୋଷାକ ଆଦି ରହିଛି। ସାଇଣ୍ଟିଫିକ ଟିମ୍ ରିପୋର୍ଟ ଅନୁସାରେ ଜଣେ ବଳାତ୍କାର କରିଥିବା ଏସ୍ପି ବର୍ମା ସୂଚନା ଦେଇଛନ୍ତି। ଏହି ଘଟଣାରେ ପୂର୍ବରୁ ପାରାଦୀପ ଆଦର୍ଶ ଥାନାରେ ଅପମୃତ୍ୟୁ ମାମଲା (ନଂ. ୫/୨୬) ଓ ତିର୍ତ୍ତୋଲ ଥାନାରେ ନିଖୋଜ ରିପୋର୍ଟ ଅନୁସାରେ ୨୩ ତାରିଖରେ ଷ୍ଟେଶନ୍ ଡାଏରୀ (ନଂ. ୧୯ /୨୬) ରୁଜୁ ହୋଇଥିଲା। ଏହି ଘଟଣାରେ ଅଟକ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଛାଡ଼ିଦେଇଛି ବୋଲି ଏସ୍ପି ବର୍ମା କହିଛନ୍ତି।






More Stories
ବଦଳିବ ଇଂରାଜୀ ନାମ…..
୧୨ ସେଟ୍ ଗଲାଣି ନାମାଙ୍କନପତ୍ର…..
ରାଜ୍ୟ ସଭା କଂଗ୍ରେସ ପ୍ରାର୍ଥୀ ଲିଷ୍ଟରେ ୫ ନାଁ…..