Report Card Odisha

| Daily Odia News

ତ୍ରିରଙ୍ଗାର ଶକ୍ତି ୧୩୦ କୋଟି ଭାରତୀୟଙ୍କୁ ଏକଜୁଟ କରି ରଖିଛି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ନିଜ ଘରେ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ କରିବା ଲାଗି ଯୁବପିଢ଼ିଙ୍କୁ ଆହ୍ୱାନ କରିଛନ୍ତି। ଶିମଲାଠାରେ ଯୁବ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଥିଲେ ଯେ, ୯ ତାରିଖରେ ‘ଅଗଷ୍ଟ କ୍ରାନ୍ତି’ ଦିବସ ପାଳନ କରାଯାଉଛି। ଏହି ଅବସରରେ ଆମର ଯୁବପିଢ଼ି ସେମାନଙ୍କର ନିଜ ନିଜ କ୍ଷେତ୍ରରେ ସମର୍ପଣ ଓ କଠିନ ପରିଶ୍ରମ ବଳରେ ତ୍ରିରଙ୍ଗାର ସମ୍ମାନକୁ ବିଶ୍ୱର ସର୍ବୋଚ୍ଚ ସ୍ତରରେ ପହଞ୍ଚାଇବା ଲାଗି ଶପଥ ନେବା ଉଚିତ। ଶ୍ରୀ ଠାକୁର କହିଥିଲେ ଯେ ଆମ ଜାତୀୟ ପତାକା କେବଳ ଖଣ୍ଡେ କପଡ଼ା ନୁହେଁ ବରଂ ଏହି ତ୍ରିରଙ୍ଗାର ଶକ୍ତି ୧୩୦ କୋଟି ଭାରତୀୟଙ୍କୁ ଏକଜୁଟ କରି ରଖିଛି। ନେହରୁ ଯୁବ କେନ୍ଦ୍ର, ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ ଯୁବ ମଣ୍ଡଳକୁ ନେଇ ଶିମଲାଠାରେ ଆୟୋଜିତ ଯୁବସମ୍ମିଳନୀରେ ଶ୍ରୀ ଠାକୁର ଏହା କହିଥିଲେ। ହିମାଚଳ ପ୍ରଦେଶର ଶିମଲାସ୍ଥିତ ନେହରୁ ଯୁବ କେନ୍ଦ୍ର ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବକମାନଙ୍କ ସହିତ ଆଲୋଚନା କରିବା ସମୟରେ କେନ୍ଦ୍ରମନ୍ତ୍ରୀ ଭାରତ ଦର୍ଶନ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ଦେଶାତ୍ମବୋଧ ଏବଂ ଜାତୀୟ ଅଖଣ୍ଡତା ଭାବନା ଜାଗ୍ରତ କରିବା ନିମନ୍ତେ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ପ୍ରତ୍ୟେକ ଯୁବକଯୁବତୀ ସେମାନଙ୍କର ନିଜ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଦେଶର ଅନ୍ୟ ସ୍ଥାନ ଭ୍ରମଣ କରିବା ଉଚିତ। ଏହା ସେମାନଙ୍କ ମଧ୍ୟରେ ଜାତୀୟତା ଏବଂ ଦେଶାତ୍ମବୋଧ ଭାବନା ଜାଗ୍ରତ କରିବ। ସେ ମଧ୍ୟ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର ହର ଘର ଜଲ ଯୋଜନା, ଉଜାଲା, ସ୍ୱଚ୍ଛତା ଅଭିଯାନ, ଉଜ୍ଜ୍ୱଳା ଯୋଜନା ଏବଂ ଡିଜିଟାଲ ଇଣ୍ଡିଆ ଭଳି କେନ୍ଦ୍ର ସରକାରଙ୍କ କେତେକ ଯୋଜନାର ଉପଲବ୍ଧି ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଫିଟ୍ ଇଣ୍ଡିଆ ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ଲାଗି ନିଜ ସଂସଦୀୟ କ୍ଷେତ୍ରରେ ସେ ୨୫୦ ଜିମ୍‌ ପ୍ରତିଷ୍ଠା କରିଛନ୍ତି। ଗଣମାଧ୍ୟମର କେତେକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି ହାସଲ କରିଛି। କ୍ରୀଡ଼ା କ୍ଷେତ୍ରରେ ଆମର ସଫଳତା ବହୁଗୁଣିତ ହୋଇଛି। ନିକଟରେ ସମାପନ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୬୧ଟି ପଦକ ହାସଲ କରିବା ସହିତ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନରେ ରହିଛି।

Breaking News