ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ଛାତ୍ର ଆନ୍ଦୋଳନ ସମୟରେ ନିଜ ବିରୋଧରେ ହୋଇଥିବା ଗାଳିଗୁଲଜ ଓ ଆପତ୍ତିଜନକ ବକ୍ତବ୍ୟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରାତିରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଆବେଗପୂର୍ଣ୍ଣ ଭିଡିଓ ସାର୍ବଜନୀନ କରିଛନ୍ତି। ଏଥିରେ ସେ କହିଛନ୍ତି ଯେ, କିଛି ବାଟବଣା ଯୁବକ/ଛାତ୍ର ତାଙ୍କୁ ଓ ତାଙ୍କର ସ୍ୱର୍ଗତ ମା’ଙ୍କୁ ଆପତ୍ତିଜନକ ଭାଷାରେ ଗାଳିଗୁଲଜ କରିଥିଲେ ସୁଦ୍ଧା, ସେ ସେମାନଙ୍କୁ କ୍ଷମା କରିଦେବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯନ୍ତର ମନ୍ତରରେ ଯାହା ଘଟିଲା ତାହା ସମଗ୍ର ଦେଶ ଦେଖିଛି। କିଛି ବିଶୃଙ୍ଖଳିତ ଯୁବକ ଏଭଳି ଭାଷା ବ୍ୟବହାର କଲେ ଯାହା ଏକ ସଭ୍ୟ ସମାଜ ପ୍ରତି ଶୋଭା ପାଏନାହିଁ। ମାତ୍ର ଗାଳିଗୁଲଜ କରିବା ଦ୍ୱାରା କୌଣସି ସମସ୍ୟାର ସମାଧାନ ହୁଏନାହିଁ। ଯୁବପିଢ଼ିଙ୍କୁ ବାଟବଣା ପିଲା ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପିଲାଦିନେ କିମ୍ବା ଯୁବାବସ୍ଥାରେ ଭୁଲ୍ ହୋଇଥାଏ ଏବଂ ନିଜକୁ ସୁଧାରିବାର ସୁଯୋଗ ମଧ୍ୟ ଏହି ବୟସରେ ମିଳିଥାଏ। ଏହି ପିଲାମାନଙ୍କୁ ଦଣ୍ଡ ଦେବା, କୋର୍ଟ-କଚେରୀକୁ ଟାଣିବା କିମ୍ବା ହଇରାଣ କରିବା ଦ୍ୱାରା ପରିସ୍ଥିତି ବଦଳିବ ନାହିଁ। ଆମ ସମାଜର ଦାୟିତ୍ୱ ହେଉଛି ସେମାନଙ୍କୁ ଆପଣେଇ ନେଇ ସଠିକ୍ ରାସ୍ତା ଦେଖାଇବା। ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ସେମାନଙ୍କୁ କ୍ଷମା କରିବାକୁ ଚାହୁଁଛି ଏବଂ ସମାଜକୁ ମଧ୍ୟ ଅନୁରୋଧ କରୁଛି ଯେ ସେମାନଙ୍କୁ କ୍ଷମା କରି ସଠିକ୍ ପଥରେ ଆଗେଇ ନେବାରେ ସାହାଯ୍ୟ କରନ୍ତୁ। ସେ ଆହୁରି କହିଛନ୍ତି ଯେ, ଯଦି ଦାନ୍ତ ଜିଭକୁ କାମୁଡ଼ିଦିଏ, ତେବେ ଆମେ ଦାନ୍ତକୁ ଉପାଡ଼ି ଫିଙ୍ଗିଦିଅନ୍ତି ନାହିଁ, କାରଣ ଦୁଇଟିଯାକ ଆମର।






More Stories
ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ…..
ଅନୁପ୍ରବେଶ ବେଳେ ୩୪ ମୃତ…..
ଶସ୍ତା ହେଲା ସିଲିଣ୍ଡର !…..