ରିପୋର୍ଟ କାର୍ଡ / ପୁରୀ
୧୩ ଦିନର ବ୍ୟବଧାନ ପରେ ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁନା ଅଳଙ୍କାରର ଦ୍ବିତୀୟ ପର୍ଯ୍ୟାୟ ଗଣତିମଣତି ଆରମ୍ଭ ହେବ। ଗତ ମାସ ୨୫ରେ ମହାପ୍ରଭୁଙ୍କ ଚଳନ୍ତି ସୁନା ଅଳଙ୍କାରର ଗଣତି ପ୍ରାୟ ୮୦ ପ୍ରତିଶତ ଶେଷ ହୋଇଛି। ବୁଧବାର ବାହାର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାରର ଗଣତି କରାଯିବ। ଏନେଇ ପୂର୍ବ ନିର୍ଦ୍ଧାରିତ ସରକାରଙ୍କ ମାର୍ଗଦର୍ଶିକା ଅନୁସରଣ କରାଯିବ ବୋଲି ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଦିବ୍ୟାଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ଗଣତିମଣତି ୮ରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପରେ ଚଳିତ ମାସ ୧୩ ଏବଂ ତା’ପରେ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି ଜାରି ରହିବ। ୮ରେ ପୂର୍ବ ଭଳି ରତ୍ନଭଣ୍ଡାରର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବାହାର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାରର ଗଣତିମଣତି କରାଯିବ। ପୂର୍ବ ମାର୍ଗଦର୍ଶିକାକୁ ଅନୁକରଣ କରାଯାଇ ତଦାରଖ ଟିମ୍ ଓ ସମ୍ପାଦନା ଟିମ୍ ରହିବେ। ରତ୍ନଭଣ୍ଡାର ଭିତରକୁ କେବଳ ସମ୍ପାଦନା ଟିମ୍ ସଦସ୍ୟ ପ୍ରବେଶ କରିବେ। ସମସ୍ତ ଅଧିକୃତ ଟିମ୍ ରତ୍ନଭଣ୍ଡାର ଭିତରକୁ ପ୍ରବେଶ ପୂର୍ବରୁ ପାରମ୍ପରିକ ପୋଷାକ ପରିଧାନ କରିବେ।






More Stories
ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼…..
୧୦ ପରେ ବଢିବ ତାତି…..
ନବୀନଙ୍କୁ ଟାର୍ଗେଟ୍ କଲେ ମନମୋହନ…..