ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଭିବୃଦ୍ଧିଶୀଳ ସବୁଜ ଅର୍ଥନୀତି ରାଜ୍ୟରେ ବିପୁଳ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିଛି। ଆଗାମୀ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହି ସୁଯୋଗକୁ କାର୍ଯ୍ୟକାରୀ କରିବା ପାଇଁ ଦକ୍ଷ ଶ୍ରମଶକ୍ତି ନିର୍ମାଣ ସବୁଠାରୁ ବଡ଼ ଆବଶ୍ୟକତା। ଏଥିପାଇଁ ରାଜ୍ୟରେ ସ୍ୱତନ୍ତ୍ର ଭାବେ ‘ଓଡ଼ିଶା ସବୁଜ ନିଯୁକ୍ତି ଓ ଦକ୍ଷତା ବିକାଶ ଅଭିଯାନ’ ଆରମ୍ଭ କରିବାକୁ ପରିବେଶଭିତ୍ତିକ ଅନ୍ତର୍ଜାତୀୟ ସଂସ୍ଥା ଆଇଫରେଷ୍ଟ ପକ୍ଷରୁ ସରକାରଙ୍କୁ ସୁପାରିସ କରାଯାଇଛି।ଆଇଫରେଷ୍ଟ ପକ୍ଷରୁ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ‘ଓଡ଼ିଶାର ସବୁଜ ଅର୍ଥନୀତି ପାଇଁ ଶ୍ରମଶକ୍ତି- ନିଯୁକ୍ତି, ଦକ୍ଷତା ଓ ଉଦ୍ୟୋଗର ସମ୍ଭାବନା’ ଶୀର୍ଷକ ଏକ ବିଶେଷ ରିପୋର୍ଟ ଉପସ୍ଥାପନ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି, ୨୦୩୦ ସୁଦ୍ଧା ରାଜ୍ୟର ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରୁ ହିଁ ପ୍ରାୟ ୩୦ ହଜାର ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୦୩୫ ବେଳକୁ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇଯିବ। ମଞ୍ଜୁର ହୋଇଥିବା ସବୁଜ ନିବେଶ ପ୍ରକଳ୍ପ ଦ୍ୱାରା ୪୮,୪୦୦ରୁ ଅଧିକ ନିଯୁକ୍ତି ଆସିପାରିବ। ରାଜ୍ୟର ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳରେ ଏହା ଅଧିକ ସମ୍ଭାବନା ଆଣିଦେବ। କୃଷି ବନୀକରଣ, ଜଙ୍ଗଲ ପରିଚାଳନା ଏବଂ ହେନ୍ତାଳ ବଣର ପୁନରୁଦ୍ଧାର ଫଳରେ ଦୁଇଟି ଲାଭ ହେବ। ତାହା ହେଲା ଜଳବାୟୁ ସହନଶୀଳ ପରିବେଶ ନିର୍ମାଣ ଏବଂ ନିଯୁକ୍ତି ସୃଷ୍ଟି। ଏ ଦିଗରେ ସାଧାରଣ ବର୍ଜ୍ୟବସ୍ତୁ ପରିଚାଳନା ହେଉଛି ଅନ୍ୟ ଏକ ବଡ଼ ସମ୍ଭାବନା। ଏ ସବୁକୁ ମିଶାଇଲେ ଓଡ଼ିଶାର ସବୁଜ ଅର୍ଥନୀତି ପ୍ରାୟ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହୋଇପାରିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।ପାରମ୍ପରିକ ଶକ୍ତି ଓ ଶିଳ୍ପ କ୍ଷେତ୍ରରୁ ଶ୍ରମିକ ଏବଂ କର୍ମଚାରୀଙ୍କୁ ସବୁଜ କ୍ଷେତ୍ରକୁ ସ୍ଥାନାନ୍ତର କରିବା ଦ୍ୱାରା ବିପୁଳ ସମ୍ଭାବନା ସୃଷ୍ଟି ହେବ। ରିପୋର୍ଟରେ ଆକଳନ କରାଯାଇଥିବା କୋଇଲା ଖନନ କାର୍ଯ୍ୟର ୮୯% ନିଯୁକ୍ତିକୁ ରାଜ୍ୟର ଦ୍ରୁତ ଅଭିବୃଦ୍ଧିଶୀଳ ଥିବା ଧାତୁ ଓ ଅନ୍ୟ ଜଟିଳ ଖଣିଜ ଖନନ କ୍ଷେତ୍ରକୁ ସ୍ଥାନାନ୍ତର କରାଯାଇପାରିବ। ସେହିପରି ତାପଜ ବିଦ୍ୟୁତ୍ କ୍ଷେତ୍ରରେ ୭୫% ନିଯୁକ୍ତିକୁ ନବୀକରଣଯୋଗ୍ୟ ଶକ୍ତି ଓ ସବୁଜ ଉଦ୍ଯାନ କ୍ଷେତ୍ରରେ ପ୍ରୟୋଗ କରାଯାଇପାରିବ। ଏ କ୍ଷେତ୍ରରେ ଥିବା ଅଭାବ ପୂରଣ ପାଇଁ ସମ୍ପୂର୍ଣ୍ଣ ଦକ୍ଷତା ପ୍ରଶିକ୍ଷଣ ବଦଳରେ ସ୍ୱଳ୍ପକାଳୀନ ଓ ନିର୍ଦିଷ୍ଟ ଆବଶ୍ୟକତାଭିତ୍ତିକ ତାଲିମ ଦିଆଯାଇପାରିବ। ଓଡ଼ିଶାର ସବୁଜ ଦକ୍ଷତା ବିକାଶ ପରିକଳ୍ପନାକୁ ଆଗକୁ ନେବା ପାଇଁ ବିଭାଗ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ସୁକାନ୍ତ କୁମାର ପ୍ରଧାନ କହିଛନ୍ତି। ଆଇଫରେଷ୍ଟର ଜଷ୍ଟ ଟ୍ରାଞ୍ଜିସନ୍ ଆଣ୍ଡ୍ କ୍ଲାଇମେଟ୍ ଚେଞ୍ଜ ବିଭାଗର ନିର୍ଦେଶକ ଡ. ଶ୍ରେଷ୍ଠା ବାନାର୍ଜୀ କହିଛନ୍ତି, ସବୁଜ ଅର୍ଥନୀତି ତିଆରି କରିବାରେ ଓଡ଼ିଶା ପାଇଁ ବିପୁଳ ସମ୍ଭାବନା ରହିଛି। ଏହି ସୁଯୋଗର ଲାଭ ଉଠାଇବା ପାଇଁ ରାଜ୍ୟକୁ ଏବେଠାରୁ ପଦକ୍ଷେପ ନେବାକୁ ପଡ଼ିବ। ଭବିଷ୍ୟତରେ ଓଡ଼ିଶା ସରକାର ପ୍ରାଥମିକତା ଭିତ୍ତିରେ କେତେକ ପଦକ୍ଷେପ ନେବା ପାଇଁ ଏହି ରିପୋର୍ଟରେ ସୁପାରିସ୍ କରାଯାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ସ୍ୱତନ୍ତ୍ର ଭାବେ ‘ଓଡ଼ିଶା ଗ୍ରିନ୍ ଜବ୍ସ ଆଣ୍ଡ୍ ସ୍କିଲିଂ ମିଶନ’ ଗଠନ, ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ଶୀର୍ଷ କମିଟି ଗଠନ, ଶିଳ୍ପ ସମୃଦ୍ଧ ଜିଲାଗୁଡ଼ିକରେ ଜିଲା ଦକ୍ଷତା ପରିଷଦ ଗଠନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହାଛଡ଼ା ଆଇଟିଆଇ ଓ ପଲିଟେକ୍ନିକ୍ କେନ୍ଦ୍ରଗୁଡ଼ିକର ପାଠ୍ୟକ୍ରମକୁ ଉନ୍ନୀତ କରାଯାଇ ସେଥିରେ ସବୁଜ ଦକ୍ଷତାକୁ ସାମିଲ କରିବାକୁ ସୁପାରିସ କରାଯାଇଛି। ୧୦ ବର୍ଷ ମଧ୍ୟରେ ଏକ ଆଞ୍ଚଳିକ ସବୁଜ ଦକ୍ଷତା ତାଲିମ କେନ୍ଦ୍ର ସ୍ଥାପନ କରିବାକୁ ପରାମର୍ଶ ଦିଆଯାଇଛି। ସର୍ବେକ୍ଷଣ ଉନ୍ମୋଚନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ବ ଦକ୍ଷତା କେନ୍ଦ୍ର ସିଇଓ ରଶ୍ମି ରଞ୍ଜନ ମହାପାତ୍ର, ପ୍ରଫେସର ସୁପ୍ରିୟା ପଟ୍ଟନାୟକ, ସିୱାଇଏସ୍ଡି ମାର୍ଗଦର୍ଶକ ଜଗଦାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।






More Stories
ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍ ମାମଲା;ସିବିଆଇ ତଦନ୍ତ ଦାବି ….
ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି….
ଆଜି ମିଳିବ ସିଏମ୍-କିଷାନ ସହାୟତା ରାଶି…..