ରିପୋର୍ଟ କାର୍ଡ / ଭୁବନେଶ୍ବର
ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଧର୍ମଘଟ ତୃତୀୟ ଦିନରେ ପହଞ୍ଚିଛି। ଯାହା ଫଳରେ ରାଜ୍ୟର ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଧର୍ମଘଟ ଯୋଗୁ ପେଟ୍ରୋଲ ସଙ୍କଟ ମଧ୍ୟ ଦେଖାଦେଇଛି, ଭୁବନେଶ୍ୱର,କଟକ, ପୁରୀ, ବ୍ରହ୍ମପୁର, ବାଲେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଥିବା ପେଟ୍ରୋଲ ପମ୍ପ୍ ଗୁଡ଼ିକରେ ଲମ୍ବା ଧାଡ଼ି ଲାଗିଛି। କିଛି ପେଟ୍ରୋଲ ପମ୍ପରେ ତେଲ ସରିବାରେ ଲାଗିଛି। ଯଦି ପେଟ୍ରୋଲ ପମ୍ପରେ ଟ୍ୟାଙ୍କରଗୁଡ଼ିକ ଶୀଘ୍ର ନ ପହଞ୍ଚେ ତେବେ ଗୁରୁତର ଅଭାବ ଦେଖାଦେବାର ଆଶଙ୍କା ରହିଛି। ତେବେ ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସଂକଟ ନାହିଁ। ପରିସ୍ଥିତିରେ ସୁଧାର ଆସିଲାଣି। ଡ୍ରାଇଭରଙ୍କ ଦାବି ଉପରେ ସରକାର ବିଚାର କରୁଛନ୍ତି। ଦାବି ପୂରଣ କରାଯିବ। ତେଲ ଟ୍ୟାଙ୍କର ଆସିଯାଇଛି। ଭୁବନେଶ୍ବରକୁ ୧୫୦ ତେଲ ଟ୍ୟାଙ୍କର ଆସିଛି। ସେହିପରି କଟକକୁ ୭୬ ତେଲ ଟ୍ୟାଙ୍କର ଆସିଛି। ରାଜ୍ୟରେ ଆବଶ୍ୟକ ପରିମାଣର ତେଲ ଅଛି। ସବୁ ସହରକୁ ତେଲ ଯୋଗାଇ ଦିଆଯିବ। ତେଲର ଯିଏ କଳାବଜାରୀ କରୁଛି ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ତେଣୁ ଏଭଳି ବ୍ୟକ୍ତି ବିଶେଷ ସାବଧାନ ହୋଇଯାଆନ୍ତୁ ବୋଲି ଯୋଗାଣ ମନ୍ତ୍ରୀ ତାଗିଦ୍ କରିଛନ୍ତି। ସେହିପରି ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି ରାଜ୍ୟରେ ତେଲ ସଙ୍କଟ ନାହିଁ।






More Stories
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ……
ଗାଡ଼ିର ବୈଧ କାଗଜପତ୍ର କରିବା ସମୟ ବୃଦ୍ଧି…..
ଆକ୍ସନ ନେବେ ଉପମୁଖ୍ୟମନ୍ତ୍ରୀ…..