Report Card Odisha

| Daily Odia News

ଚାଇନାର ଦାବିକୁ ଖଣ୍ଡନ କଲା ଭାରତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତର ଅନୁରୋଧକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ କଥାବାର୍ତ୍ତା କରିଥିବା ଦାବିକୁ ନୂଆଦିଲ୍ଲୀ ପକ୍ଷରୁ ଖଣ୍ଡନ କରାଯାଇଛି। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୫ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ଦୁଇ ନେତା ଆଲୋଚନା କରନ୍ତୁ ବୋଲି ଭାରତ ଅନୁରୋଧ କରିଥିଲା। ଏହି ଅନୁରୋଧକୁ ରକ୍ଷା କରି ମୋଦି ଓ ଜିନପିଙ୍ଗ କିଛି ସମୟ ପାଇଁ କଥାବାର୍ତ୍ତା କରିଥିବା ଚାଇନା କହିଥିଲା। ତେବେ ଚାଇନାର ଏପରି ଦାବିକୁ ଭାରତ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ସରକାରୀ ସୂତ୍ରରେ କୁହାଯାଇଛି ଯେ ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଚାଇନା ପ୍ରଥମେ ଅନୁରୋଧ କରିଥିଲା। ଚାଇନାର ଏହି ଅନୁରୋଧ ଭାରତ ପାଖରେ ପଡ଼ି ରହିଥିଲା। କିନ୍ତୁ ଦୁଇ ଦେଶର ନେତା କୌଣସି ପ୍ରକାରର ଦ୍ୱିପାକ୍ଷିକ ଆଲୋଚନା କରି ନାହାନ୍ତି। ବ୍ରିକ୍ସ ସମ୍ମିଳନୀ ବେଳେ ନେତାମାନଙ୍କ ପାଇଁ ପ୍ରସ୍ତୁତ ଲାଉଞ୍ଜରେ ଉଭୟେ ମାତ୍ର କିଛି ମିନିଟ ପାଇଁ ଅନଔପଚାରିକ ଆଲୋଚନା କରିଥିବା ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହାପୂର୍ବରୁ ଚାଇନିଜ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଥିଲା ଯେ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବ୍ରିକ୍ସ ସମ୍ମିଳନୀ ଅବସରରେ କଥା ହୋଇଛନ୍ତି। ଭାରତର ଅନୁରୋଧ କ୍ରମେ ଅଗଷ୍ଟ ୨୩ରେ ଏହି କଥାବାର୍ତ୍ତା ହୋଇଥିବା ମନ୍ତ୍ରଣାଳୟ କହିଥିଲା। ଗୁରୁବାର ନ୍ୟୁଜ କନଫରେନ୍ସ ପାଇଁ ଷ୍ଟେଜକୁ ଯିବା ବେଳେ ମୋଦି ଓ ଜିନପିଙ୍ଗ ମାତ୍ର କିଛି ସେକେଣ୍ଡ ପାଇଁ ପରସ୍ପର ସହ କଥା ହେଉଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। ଗତବର୍ଷ ନଭେମ୍ବର ମାସରେ ଆୟୋଜିତ ଜି-୨୦ ସମ୍ମିଳନୀ ପରେ ପୁଣିଥରେ ଦୁଇ ନେତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଜିନପିଙ୍ଗ ଓ ମୋଦିଙ୍କ ମଧ୍ୟରେ କିଛି ମିନିଟ ପାଇଁ ହୋଇଥିବା ଆଲୋଚନା ସମ୍ପର୍କରେ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଥିଲା। ଆଲୋଚନା ବେଳେ ମୋଦି ସୀମା ବିବାଦକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଏହାପରେ ଦୁଇ ଦେଶର ନେତା ସୀମାନ୍ତରେ ଖୁବଶୀଘ୍ର ଉତ୍ତେଜନା ହ୍ରାସ କରିବାକୁ ରାଜି ହୋଇଥିବା ଭାରତ ସରକାର ସୂଚନା ଦେଇଥିଲେ।

Breaking News