Report Card Odisha

| Daily Odia News

ନିଜ ଜାତୀୟ ରେକର୍ଡ ଭାଙ୍ଗିଲେ ନୀରଜ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟୋକିଓ ଅଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜେତା ଭାରତର ତାରକା ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ନିଜ ଜାତୀୟ କୀର୍ତ୍ତିମାନକୁ ଭାଙ୍ଗିଛନ୍ତି। ୨୦୨୧ ମାର୍ଚ୍ଚରେ ପତିଆଲାରେ ନୀରଜ ୮୮.୦୭ ମିଟର ଥ୍ରୋ କରି ନୂତନ ଜାତୀୟ କୀର୍ତ୍ତିମାନ ସୃଷ୍ଟି କରିଥିଲେ। ନିଜର ଉକ୍ତ ଜାତୀୟ କୀର୍ତ୍ତିମାନକୁ ନୀରଜ ଫିନଲାଣ୍ଡରେ ଭାଙ୍ଗିବାରେ ସଫଳ ହୋଇଛନ୍ତି। ଫିନ୍‌ଲାଣ୍ଡର ଟୁର୍କୁରେ ଆୟୋଜିତ ପାଭୋ ନୂରମି କ୍ରୀଡ଼ାରେ ନୀରଜ ଜାଭେଲିନରେ ୮୯.୩୦ ମିଟର ଥ୍ରୋ କରି ନୂତନ ଜାତୀୟ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ନୀରଜ ୯୦ ମାର୍କକୁ ଛୁଇଁବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ମଧ୍ୟ ନିଜ ଜାତୀୟ କୀର୍ତ୍ତିମାନକୁ ଅତିକ୍ରମ କରିପାରିଛନ୍ତି। ପ୍ରତିଯୋଗିତାରେ ନୀରଜ ୮୯. ୩୦ ମିଟର ଥ୍ରୋ କରି ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଏଥି​‌ରେ ନୀରଜ ପ୍ରଥମ ଥ୍ରୋ କୁ ୮୬.୯୨ ମିଟର ପକାଇଥିବା ବେଳେ ୨ୟ ଥ୍ରୋ କୁ ୮୯.୩୦ ମିଟର ପକାଇଥିଲେ। ଫିନଲାଣ୍ଡର ଓଲିଭର ହେଲାନଡିର ୮୯.୮୩ ମିଟର ପକାଇ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ୨୪ ବର୍ଷୀୟ ନୀରଜ ଟୋକିଓ ଅଲିମ୍ପିକ୍‌ସରେ ୮୭.୫୮ ମିଟର ଥ୍ରୋ କରି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ବିଶ୍ବ ଚମ୍ପିଆନ ଗ୍ରେନେଡାର ଆଣ୍ଡରସନ ପିଟର୍ସଙ୍କ ୯୩.୦୭ ମିଟର ପକାଇ ଦୋହା ଡାଏମଣ୍ଡ ଲିଗ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ତ୍ରିନିଦାଦ୍ ଆଣ୍ଡ ତବାଗୋର ୨୦୧୨ ଅଲିମ୍ପିକ୍‌ସ ଚମ୍ପିଆନ କିସରନ ୱାଲକୋଟ୍‌ ୮୪.୦୨ ୪ର୍ଥ ସ୍ଥାନ ହାସଲ କରିଥିଲେ। ନୀରଜଙ୍କ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଜର୍ମାନୀର ଜୋହାନସ ଭେଟର ନିୟମିତ ୯୦ ମିଟର ଥ୍ରୋ କରିବାରେ ଦକ୍ଷତା ରଖିଛନ୍ତି। ଜୁଲାଇ ୧୫ରୁ ୨୪ ପର୍ଯ୍ୟନ୍ତ ଆମେରିକାରେ ଆୟୋଜିତ ହେବାକୁ ଥିବା ବିଶ୍ବ ଚମ୍ପିଆନସିପରେ ନୀରଜ ୯୦ ମିଟର ଅତିକ୍ରମ କରିବା ଲକ୍ଷ୍ୟ ରଖିଛନ୍ତି। ପାଭୋ ନୁମି କ୍ରୀଡ଼ା ପରେ ନୀରଜ ଫିନଲାଣ୍ଡରେ କୌରଟାନେ କ୍ରୀଡ଼ାରେ ଅଂଶଗ୍ରହଣ କରିବେ। ପରେ ଜୁନ୍ ୩୦ରେ ଡାଏମଣ୍ଡ ଲିଗ୍‌ରେ ଅଂଶଗ୍ରହଣ କରିବେ। ଜାତୀୟ କୀର୍ତ୍ତିମାନ ସୃଷ୍ଟି କରିବା ପରେ ନୀରଜ କହିଛନ୍ତି ଯେ, ୮୯.୩୦ ମିଟର ପକାଇ ଜାତୀୟ କୀର୍ତ୍ତିମାନ ସୃଷ୍ଟି କରିବା ନେଇ ବହୁତ ଖୁସି। ଟୋକିଓ ଅଲିମ୍ପିକ୍‌ସ ପରେ ପ୍ରଥମ ପ୍ରତିଯୋଗିତାରେ ଏଭଳି ସଫଳତା ନେଇ ବହୁତ ଖୁସି। ଏବେ ଡାଇମଣ୍ଡ ଲିଗ୍‌, ବିଶ୍ବ ଚମ୍ପିଆନସିପ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳତା ପରବର୍ତ୍ତୀ ଲକ୍ଷ୍ୟ ବୋଲି ନୀରଜ କହିଛନ୍ତି। ୯୦ ମିଟର ଅତିକ୍ରମ କରିବା ମୋର ପରବର୍ତ୍ତୀ ଲକ୍ଷ୍ୟ ବୋଲି ନୀରଜ କହିଛନ୍ତି। ନୀରଜ ଟୋକିଓ ଅଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ହାସଲ କରିବ। ପରେ ଆମେରିକାରେ ଚାଉଲା ଭିଷ୍ଟା ଏଲିଟ୍‌ ଆଥ୍‌ଲେଟିକ୍‌ ଟ୍ରେନିଂ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିଲେ। ପରେପରେ ତୁର୍କୀରେ ପ୍ରଶିକ୍ଷଣ ହାସଲ କରୁଥିଲେ। ବର୍ତ୍ତମାନ ଫିନଲାଣ୍ଡରେ ପ୍ରଶିକ୍ଷଣ ନେଉଛନ୍ତି।

 

Breaking News