Report Card Odisha

| Daily Odia News

ଘଡ଼ଘଡ଼ି ସହ ବର୍ଷା,୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏଥିସହ ଗାଙ୍ଗେୟ ପଶ୍ଚିମବଙ୍ଗରୁ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶକୁ ଏକ ଟ୍ରଫ୍‌ ଲାଇନ୍‌ ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ଓଡ଼ିଶା ଦେଇ ଗତି କରୁଛି। ଏହା ପ୍ରଭାବରେ ସୋମବାର ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା। ଝାରସୁଗୁଡ଼ା ଜିଲାରେ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ସୋନପୁରର ବିନିକା ସମେତ ଜିଲାର କେତେକ ସ୍ଥାନରେ ବର୍ଷା ହୋଇଛି। ସେହିଭଳି ବରଗଡ଼ରେ ମେଘୁଆ ପାଗ ରହିଥିବାବେଳେ ବର୍ଷା ସହ କୁଆପଥର ମାଡ଼ ହୋଇଥିବା ସୂଚନା ମିଳିଛି। ଏଥିସହ କୋରାପୁଟରେ ମଧ୍ୟ ବର୍ଷା ଓ କୁଆପଥର ମାଡ଼ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ମଧ୍ୟ ୧୫ ଜିଲାରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସହିତ ଘଡ଼ଘଡ଼ି, ବିଜୁଳି ହେବା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି।ବର୍ଷା ପାଇଁ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ହ୍ରାସ ଘଟିବ ବୋଲି ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୭ଟି ସ୍ଥାନର ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ଏବଂ ଏହାଠାରୁ କମ୍‌ ରହିଥିଲା। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୧ଡିଗ୍ରୀ ରେକର୍ଡ ହୋଇଥିଲା। ସେହିପରି ରାଜ୍ୟର ୭ଟି ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଓ ଏହାଠାରୁ ଅଧିକ ରହିଥିଲା। ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୬.୬ ଡିଗ୍ରୀ ରହିଥିବାବେଳେ ଭୁବନେଶ୍ୱରରେ ୩୫.୮ ଡିଗ୍ରୀ ଥିଲା। ଅନ୍ୟପକ୍ଷରେ ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, କଟକ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ ବୁଧବାର ପୁରୀ ଏବଂ ଜଗତ୍‌ସିଂହପୁରକୁ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କ କରାଯାଇଛି।

Breaking News