Report Card Odisha

| Daily Odia News

ବାଘ ଆସିଲେ କୋକିମାନେ ଧାଇଁ ପଳାନ୍ତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାଘ ଆସିଲେ କୋକିମାନେ ଧାଇଁ ପଳାନ୍ତି ବୋଲି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଉଦ୍ଦେଶ୍ୟ କରି ଶନିବାର ଦିନ ତେଲେଙ୍ଗାନା ‘ବିଜେପି’ର ସଭାପତି ବଣ୍ଡି ସଞ୍ଜୟ କୁମାର କହିଛନ୍ତି। ଉଲ୍ଲେଖଯୋଗ୍ୟ, ‘ବିଜେପି’ର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଲାଗି ଶନିବାର ଦିନ ପ୍ରଧାନମନ୍ତ୍ରୀ ତେଲେଙ୍ଗାନାରେ ପହଞ୍ଚିଥିଲେ। କିନ୍ତୁ, ତାଙ୍କୁ ସ୍ବାଗତ କରିବା ଲାଗି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ହାଇଦ୍ରାବାଦ ବିମାନ ବନ୍ଦରକୁ ଯାଇ ନ ଥିଲେ। ସେଥିପାଇଁ ବଣ୍ଡି ସଞ୍ଜୟ କୁମାର ‘କେସିଆର୍‌’ଙ୍କୁ ସମାଲୋଚନା କରି କହିଛନ୍ତି, ଯେତେବେଳେ ମୋଦୀ ଆସନ୍ତି, କାହିଁକି କେଜାଣି ସେ (ରାଓ) ଧାଇଁ ପଳାନ୍ତି। ସେ ଭୟ କରୁଛନ୍ତି କାହିଁକି? ସେ ମୋଦୀଙ୍କୁ ଭେଟିବାକୁ ଚାହୁଁନାହାନ୍ତି କାହିଁକି? ଶନିବାର ଦିନ ହାଇଦ୍ରାବାଦ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ରାଜ୍ୟପାଳ ତାମିଲସାଇ ସୌନ୍ଦରରାଜନ ଓ ରାଜ୍ୟ ପଶୁପାଳନ ମନ୍ତ୍ରୀ ତଲସାଇ ଶ୍ରୀନିବାସ ଯାଦବ। ପୂର୍ବରୁ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଓରଫ୍‌ ‘କେସିଆର୍‌’ ଅନ୍ୟୂନ ୨ର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାଛୋଟି ନେବା ଲାଗି ବିମାନ ବନ୍ଦରକୁ ଯାଇ ନ ଥିଲେ। ତେଣୁ, ବଣ୍ଡି ସଞ୍ଜୟ କୁମାର କହିଛନ୍ତି, ତେଲେଙ୍ଗାନାବାସୀ ‘ଟିଆର୍‌ଏସ୍‌’ ସରକାରଙ୍କ ଅରାଜକତାରେ ବ୍ୟଥିତ ହୋଇ ପରିବର୍ତ୍ତନ ଚାହୁଁଛନ୍ତି। ସାମ୍ବାଦିକମାନଙ୍କୁ ସେ ଆହୁରି ମଧ୍ୟ କହିଛନ୍ତି, ଆପଣ (ରାଓ) ବିଜୁଳି ବିଲ୍‌, ବସ୍‌ ଭଡ଼ା, ଜମିବାଡ଼ି ଟିକସ ଆଦି ସବୁ ଜିନିଷ ବଢ଼ାଇଦେଲେ। ଆପଣଙ୍କ ଅରାଜକତାରେ ଲୋକେ ବୀତସ୍ପୃହ। ସେଥିପାଇଁ ସେମାନେ ପରିବର୍ତ୍ତନ ଚାହୁଁଛନ୍ତି। ଆମେ ଆପଣଙ୍କ ‘ନୂଆ ନିଜାମ୍‌ ଶାସନ’ର ଅବସାନ ଘଟାଇବୁ। ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପରେ ‘ବିଜେପି’ ତେଲେଙ୍ଗାନାରେ ସରକାର ଗଢ଼ିବ ବୋଲି ଲୋକସଭା ସଦସ୍ୟ ବଣ୍ଡି ସଞ୍ଜୟ କୁମାର ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି।

Breaking News