ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପହେଲଗାଓଁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଚିହ୍ନଟ କରାଯିବ। ସେମାନଙ୍କୁ ଗୋଟି ଗୋଟି କରି ଖୋଜାଯିବ ଏବଂ ଦଣ୍ଡିତ କରାଯିବ। ଯେଉଁମାନେ ଏହି କାଣ୍ଡ ପଛରେ ରହିଛନ୍ତି ସେମାନଙ୍କୁ ତାଙ୍କ କଳ୍ପନାଠାରୁ ବହୁତ ବଡ଼ ଦଣ୍ଡ ଦିଆଯିବ, ଯାହା ବିଷୟରେ ସେମାନେ କେବେ ଚିନ୍ତା ବି କରି ନ ଥିଲେ। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହେଲଗାଓଁ ଆକ୍ରମଣ ପଛରେ ଥିବା ଆତଙ୍କୀମାନଙ୍କୁ ଏଭଳି କଠୋର ଚେତାବନୀ ଦେଇଛନ୍ତି। ବିହାରରେ ଆୟୋଜିତ ଏକ ଜନସଭାରେ ମୋଦୀ ଯୋଗଦେଇ ଆକ୍ରମଣକୁ ନେଇ ଦୁଃଖପ୍ରକାଶ କରିଥିଲେ। ଆକ୍ରମଣକାରୀଙ୍କ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଦେଶବାସୀଙ୍କୁ ଅଶ୍ଵାସନା ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏପ୍ରିଲ ୨୨ରେ ଆତଙ୍କବାଦୀମାନେ ପହେଲଗାଓଁରେ ୨୮ ନୀରିହ ଲୋକଙ୍କୁ ହତ୍ୟା କଲେ। ଏହି ଘଟଣା ପରେ ଦେଶ ଦୁଃଖରେ ରହିଛି। ଆମେ ପୀଡ଼ିତମାନଙ୍କ ପରିବାର ସାଥୀରେ ଛିଡ଼ା ହୋଇଛୁ। ଆତଙ୍କବାଦୀମାନଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୋଦୀ ଆହୁରି କହିଛନ୍ତି ଯେ, “ଏହି ଆତଙ୍କବାଦୀ ଆକ୍ରମଣରେ ଲୋକେ ନିଜ ପୁଅକୁ, ନିଜ ଭାଇକୁ ଏବଂ ନିଜ ଜୀବନସାଥୀକୁ ହରାଇଛନ୍ତି। ପହଲଗାମରେ ମୃତକଙ୍କ ମଧ୍ୟରେ କିଛି ବଙ୍ଗାଳୀ, କିଛି କନ୍ନଡ, କିଛି ମରାଠୀ, କିଛି ଓଡ଼ିଆ ଓ କିଛି ବିହାରର ଥିଲେ। ଏହି ଆକ୍ରମଣ ନିରସ୍ତ୍ର ପର୍ଯ୍ୟଟକଙ୍କ ଉପରେ ହୋଇନାହିଁ ବରଂ ଦେଶର ଶତ୍ରୁମାନେ ଭାରତର ଆତ୍ମା ଉପରେ ଆକ୍ରମଣ କରିବାକୁ ସାହସ କରିଛନ୍ତି। ମୁଁ ସ୍ପଷ୍ଟ ଶବ୍ଦରେ କହିବାକୁ ଚାହୁଁଛି ଯେ ଏହି ଆକ୍ରମଣ କରିଥିବା ଆତଙ୍କବାଦୀ ଏବଂ ଏହି ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିବା ଲୋକମାନଙ୍କୁ ସେମାନଙ୍କ କଳ୍ପନାଠାରୁ ମଧ୍ୟ ବଡ଼ ଦଣ୍ଡ ମିଳିବ। ଏବେ ଆତଙ୍କବାଦୀଙ୍କ ବାକି ଭୂମିକୁ ଧ୍ୱଂସ କରିବାର ସମୟ ଆସିଛି। ସମସ୍ତଙ୍କୁ ମାଟିରେ ମିଶାଇବାର ସମୟ ଆସିଛି।”






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..