Report Card Odisha

| Daily Odia News

ଆଜି ଆକ୍ସମ-୪ର ଉତ୍‌କ୍ଷେପଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌) ୧୪ ଦିନିଆ ବିଜ୍ଞାନ ଅଭିଯାନରେ ଆସୁଥିବା ଆକ୍ସମ୍-୪ ମିସନ୍‌ର ୪ ମହାକାଶଚାରୀଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ରହିଛି । ଖରାପ ପାଗ ଯୋଗୁ ଆକ୍ସମ୍-୪ ମିସନ୍‌ର ଉତ୍‌କ୍ଷେପଣରେ ଗୋଟିଏ ଦିନ ବିଳମ୍ବ ହୋଇଛି ଏବଂ ବୁଧବାର ଉତ୍‌କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି। ଭାରତ, ଆମେରିକା, ପୋଲାଣ୍ଡ ଓ ହଙ୍ଗେରୀର ମହାକାଶଚାରୀଙ୍କୁ ନେଇ ସ୍ପେସ୍‌ ଏକ୍ସ ଡ୍ରାଗନ ଯାନ ଆଇଏସ୍‌ଏସ୍‌ ଯିବ। ନାସାର ସଦ୍ୟତମ ସୂଚନା ଅନୁଯାୟୀ, ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଭାରତୀୟ ସମୟ ସନ୍ଧ୍ୟା ସାଢ଼େ ୫ଟାରେ ଏହି ଉତ୍‌କ୍ଷେପଣ କାର୍ଯ୍ୟକ୍ରମ ରହିଛି। ୧୯୮୪ ମସିହାରେ ରାକେଶ ଶର୍ମାଙ୍କ ଐତିହାସିକ ଯାତ୍ରାର ୪ ଦଶନ୍ଧି ପରେ ଭାରତ ମାନବ ମହାକାଶଯାତ୍ରାକୁ ପ୍ରତ୍ୟାବର୍ତ୍ତନ କରିଛି। ଭାରତୀୟ ବାୟୁସେନାର ପାଇଲଟ୍ ତଥା ଇସ୍ରୋ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ମିସନ୍‌ର ପାଇଲଟ୍ ଭାବେ କାର୍ଯ୍ୟ କରିବେ ଏବଂ ମିସନ୍‌ କମାଣ୍ଡର ପେଗି ହ୍ୱିଟସନ୍ ଏବଂ ହଙ୍ଗେରୀ ଓ ପୋଲାଣ୍ଡର ବିଶେଷଜ୍ଞଙ୍କ ସହ ଯୋଗ ଦେବେ। ଗ୍ରୁପ୍ କ୍ୟାପଟେନ୍ ଶୁକ୍ଳାଙ୍କ ପତ୍ନୀ ଓ ୪ ବର୍ଷର ପୁଅ ସମେତ ତାଙ୍କ ପରିବାର ଫ୍ଲୋରିଡାରେ ଉପସ୍ଥିତ ଅଛନ୍ତି। ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଳାଙ୍କ ସହ ଆଜି ଭାରତୀୟ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଏପି ସିଂହ କଥା ହୋଇଛନ୍ତି। ଏହି ଅବସରରେ ବାୟୁସେନା ମୁଖ୍ୟ ସମସ୍ତ ବାୟୁସେନା ଯୋଦ୍ଧାଙ୍କ ପକ୍ଷରୁ ଶୁକ୍ଳାଙ୍କୁ ଶୁଭେଚ୍ଛା‌ ଜଣାଇଛନ୍ତି।

Breaking News