Report Card Odisha

| Daily Odia News

ବର-କନ୍ୟା ଙ୍କ ସମେତ ଚାଲିଗଲା ୭ ଜୀବନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କୁହୁଡ଼ି ହେଲା କାଳ। ସଡ଼କ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ । ମୃତକଙ୍କ ମଧ୍ୟରେ ବରକନ୍ୟା ଥିବା ଜଣାଯାଇଛି। ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ଉତ୍ତରପ୍ରଦେଶର ବିଜନୌରରେ ଆଜି ସକାଳେ ଘଟିଛି। ଦୁର୍ଘଟଣାରେ ଅଟୋ ଚାଳକଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ସେଥିରେ ଗୋଟିଏ ପରିବାରର ୬ ଜଣ ଅଛନ୍ତି। ପୂରା ପରିବାର ଝାଡ଼ଖଣ୍ଡରୁ ନିଜ ପୁଅ ବିବାହ ସାରି କନିଆ ଧରି ଫେରୁଥିଲେ। ପ୍ରଥମେ ସେମାନେ ଝାଡ଼ଖଣ୍ଡରୁ ଟ୍ରେନ୍‌ ଯୋଗେ ମୁରାଦାବାଦରେ ପହଞ୍ଚିଥିଲେ। ଏହାପରେ ଏକ ଅଟୋ ଯୋଗେ ଷ୍ଟେଶନରୁ ସେମାନେ ନିଜ ଗାଁ ତିବଡ଼ୀ ଫେରୁଥିଲେ। ଅଟୋଟି ଡେରାଡୁନ- ନୈନିତାଲ ଜାତୀୟ ରାଜପଥରେ ଯାଉଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ପିଟିଥିଲା। ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଅଟୋ ଚାଳକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ମୃତକ ମଧ୍ୟରେ ୪ ପୁରୁଷ, ୨ ମହିଳା ଓ ଜଣେ ନାବାଳିକା ଅଛନ୍ତି। ଏହି ଦୁର୍ଘଟଣା ଘଟାଇଥିବା କାର୍‌ ଚାଳକଙ୍କ ସମେତ ଦୁଇ ଜଣ ଆହତ ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Breaking News