Report Card Odisha

| Daily Odia News

ବାତ୍ୟା ‘ମେଗି’ ଯୋଗୁଁ ଫିଲିପ୍ପିନ୍‌ସ୍‌ରେ ଭୂସ୍ଖଳ, ୧୩୮ ମୃତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉଷ୍ମମଣ୍ଡଳୀୟ ବାତ୍ୟା ‘ମେଗି ’ଫିଲିପ୍ପିନ୍‌ସ୍‌ ଦ୍ବୀପପୁଞ୍ଜକୁ ଛାରଖାର କରିଦେଇଛି | ଭୂସ୍ଖଳ ଘଟି ବନ୍ୟା ଆସି ମୃତ୍ୟୁସଂଖ୍ୟା ୧୩୮କୁ ବୃଦ୍ଧି ପାଇଛି | ଏନେଇ ସରକାରୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି | ବାତ୍ୟା ଯୋଗୁଁ ଫିଲିପ୍ପିନ୍‌ସ୍‌ର କେନ୍ଦ୍ରୀୟ ଓ ଦକ୍ଷିଣ ପ୍ରାନ୍ତରେ ଗତ ଶନିବାର ଓ ରବିବାର ଦିନ ବନ୍ୟା ଆସିବା ସହ ବ୍ୟାପକ ଭୂସ୍ଖଳ ସଂଘଠିତ ହୋଇଛି। ଏଥିଯୋଗୁଁ ଭୀଷଣ ପ୍ରଭାବିତ ‌ହୋଇଥିବା କେନ୍ଦ୍ରାଞ୍ଚଳର ପ୍ରଦେଶ ଲେଟେ ଦ୍ବୀପରେ ମୃତ୍ୟୁସଂଖ୍ୟା ୧୩୨ରେ ପହଞ୍ଚିଥିବା ସୂଚନା ମିଳିଛି। ଗୁରୁବାର ଦିନ ବେବେ ନଗରୀ ସରକାର ଦେଇଥିବା ରିପୋର୍ଟରେ କହିଛନ୍ତି, କେତେକ ଗ୍ରାମ ଓ ନଗରୀରେ ହୋଇଥିବା ଭୂସ୍ଖଳନରୁ ଏଯାବତ୍‌ ୧୦୧ଜଣଙ୍କ ଶବ ଉଦ୍ଧାର କରାଯାଇଛି। ପୁଲିସ ମଧ୍ୟ କହିଛି, ଲେଟେ ପ୍ରଦେଶର ଆବାୟଗ୍‌ ନଗରୀରୁ ୩୧, ସମର ପ୍ରଦେଶରୁ ୧ଜଣ ଏବଂ ସିବୁ ପ୍ରଦେଶରୁ ୨ଜଣଙ୍କ ଶବ ଉଦ୍ଧାର କରାଯାଇଛି। ‘ସିନ୍‌ହୁଆ’ ନିଉଜ୍‌ ଏଜେନ୍‌ସି ରିପୋର୍ଟ ଅନୁସାରେ, ଫିଲିପ୍ପିନ୍‌ସ୍‌ ସେନା କହିଛି ଯେ, ବାତ୍ୟା ‘ମେଗି’ ଅତିକ୍ରମ କରିଯାଇଥିଲେ ମଧ୍ୟ କେନ୍ଦ୍ରୀୟ ଫିଲିପ୍ପିନ୍‌ସ୍‌ର କେପିଜ୍‌, ଅକ୍‌ଲାନ୍‌, ଆଣ୍ଟିକ୍‌ ଏବଂ ଇଲୋଇଲୋ ପ୍ରଦେଶର ୧୫୯ଟି ଅଞ୍ଚଳରେ ଦୁର୍ବିପାକର ଅବସାନ ଘଟିନାହିଁ। ସୂଚନାଯୋଗ୍ୟ, ଗତ ରବିବାର ଦିନ ଦକ୍ଷିଣ ଏସୀୟ ଦେଶ ଫିଲିପ୍ପିନ୍‌ସ୍‌ର ସ୍ଥଳଭାଗରେ ପ୍ରବେଶ କରିଥିବା ‘ମେଗି’ ହେଉଛି ଚଳିତ ବର୍ଷର ପ୍ରଥମ ଉଷ୍ମମଣ୍ଡଳୀୟ ବାତ୍ୟା। ‘ପ୍ରଶାନ୍ତ ମହାସାଗରୀୟ ବାତ୍ୟା ବେଲ୍‌ଟ୍‌’ ଅଞ୍ଚଳରେ ଅବସ୍ଥିତ ଫିଲିପ୍ପିନ୍‌ସ୍‌ ଦ୍ବୀପପୁଞ୍ଜରେ ବର୍ଷକୁ ଏ ଧରଣର ପ୍ରାୟ ୨୦ଟି ବାତ୍ୟା ହୋଇଥାଏ। ଏହା ହେଉଛି ବିଶ୍ବର ଅନ୍ୟତମ ସବୁଠୁ ଅଧିକ ବାତ୍ୟା-ବିପର୍ଯ୍ୟୟ-ପ୍ରବଣ ଦେଶ।

 

Breaking News