Report Card Odisha

| Daily Odia News

ବୁଲେଟ ପ୍ରୁଫ୍‌ କାଚ ଭିତରେ ଭାଷଣ ଦେଲେ ଟ୍ରମ୍ପ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ନଭେମ୍ବର ମାସରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ତଥା ଉପରାଷ୍ଟ୍ରପତି କମଳା ହାରିସଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିଛି। ଗତ ମାସରେ ଟ୍ରମ୍ପ ପେନସିଲଭାନିଆରେ ପ୍ରଚାର କରୁଥିବା ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଗୁଳିଟି କାନରେ ଘଷି ହୋଇ ଚାଲିଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ଘଟଣା ପରଠାରୁ ସେ ବାହାରେ ପ୍ରଚାର କାର୍ଯ୍ୟ ବନ୍ଦ ରଖିଥିଲେ। ହେଲେ ବୁଧବାର ସେ ପ୍ରଥମ ଥର ଲାଗି ପ୍ରଚାର ଆରମ୍ଭ କରିଛନ୍ତି। ତେବେ ଏଥିପାଇଁ ସେ ସତର୍କତା ମୂଳକ ପଦକ୍ଷେପ ନେବା ସହିତ ଏକ ଭିନ୍ନ ଢଙ୍ଗରେ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଥମ ଥର ଲାଗି ସେ ବୁଲେଟ୍‌ ପ୍ରୁଫ କାଚ ଘର ଭିତରେ ରହି ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଗତ ବୁଧବାର ସେ ଉତ୍ତର କାରୋଲିନାର ଆସେବୋରୋଠାରେ ପ୍ରଚାର କରୁଥିଲେ। ପୂର୍ବରୁ ଗୁଳିମାଡ଼ ହୋଇଥିବାରୁ ସେ ନିଜକୁ ସୁରକ୍ଷିତ ରଖିବା ଲାଗି ଏକ ବୁଲେଟ ପ୍ରୁଫ୍‌ କାଚ ଭିତରେ ରହି ଭାଷଣ ଦେଇଥିଲେ। ଅନ୍ୟପଟେ ଶୋଭାଯାତ୍ରାରେ ଭାଷଣ ଦେଉଥିବା ସମୟରେ ଆଉ ଏକ ଘଟଣା ସାମ୍ନାକୁ ଆସିଥିଲା। ଭାଷଣ ଅଧାରୁ ବନ୍ଦ ରଖି ହଠାତ ସେ ଡାକ୍ତରୀ ଟିମକୁ ଖୋଜିଥିଲେ। ତେବେ ନିଜ ପାଇଁ ନୁହେଁ, ବରଂ ତାଙ୍କ ସଭାରେ ଯୋଗଦେଇଥିବା ଜଣେ ମହିଳାଙ୍କ ପାଇଁ। ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ସଭା ସ୍ଥଳରେ ଜଣେ ମହିଳା ଅସୁସ୍ଥ ଅନୁଭବ କରିଥିଲେ। ଟ୍ରମ୍ପ ଏହା ଜାଣିପାରି ଡାକ୍ତରଙ୍କ ସହାୟତା ଲୋଡ଼ିଥିଲେ। ତୁରନ୍ତ ଡାକ୍ତର ପହଞ୍ଚି ମହିଳାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। କିଛି ସମୟ ପରେ ମହିଳା ଜଣକ ସୁସ୍ଥ ଅନୁଭବ କରିବାରୁ ଟ୍ରମ୍ପ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇ ଅଧାରୁ ଶୋଭାଯାତ୍ରା ବନ୍ଦ କରିଥିଲେ। ତେବେ ଗୁଳିକାଣ୍ଡ ପରେ ଏହା ଟ୍ରମ୍ପଙ୍କ ପ୍ରଥମ ପ୍ରଚାର କାର୍ଯ୍ୟକ୍ରମ ହୋଇଥିବାରୁ ତାଙ୍କୁ ଦେଖିବାକୁ ଜନସାଧାରଣଙ୍କ ଗହଳି ହୋଇଥିଲା |

Breaking News