Report Card Odisha

| Daily Odia News

ଭୂକମ୍ପର ମୃତ୍ୟୁ ସଂଖ୍ୟା ୨୧ ହଜାର ପାର୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭୂକମ୍ପଜନିତ ମହାବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି | ମୃତ୍ୟୁ ସଂଖ୍ୟା ୨୧,୦୫୧ରେ ପହଞ୍ଚିିଛି। ହଜାର ହଜାର ଭୂମିହୀନ ଲୋକ ଏବେ ବି ଭୋକ ଓ ଶୀତ ଭିତରେ ସେମାନଙ୍କ ସଂଘର୍ଷ ଜାରି ରଖିଛନ୍ତି। ୧୯୯୯ ମସିହାରେ ଉତ୍ତର-ପଶ୍ଚିମ ତୁର୍କୀରେ ଏହି ଧରଣର ଏକ ଭୂକମ୍ପ ଘଟି ୧୭ ହଜାର ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଭୂକମ୍ପରେ ସେ ସୀମା ପାର୍‌ ହୋଇ ସାରିଲାଣି। ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ କାହାରାମନମରସରେ ପ୍ରାୟ ୪୦ ପ୍ରତିଶତ କୋଠା ଘର କ୍ଷତିଗ୍ରସ୍ତ ହୋଇଛି। ଏପରି ସ୍ଥିତିରେ ତୁର୍କୀ ଓ ସିରିୟାକୁ ସାହାଯ୍ୟ କରିବାକୁ ଅନେକ ଦେଶ ଧାଇଁ ଆସିଛନ୍ତି। ଏହି ସିରିଜ୍‌ ଭୂକମ୍ପରେ ତୁର୍କୀ ଓ ସିରିୟାରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସଂପୃକ୍ତ ଅଞ୍ଚଳର ବହୁମୂଲ୍ୟ ସାଂସ୍କୃତିକ ସ୍ଥାନକୁ ଖରାପ କରି ଦେଇଛି। ଏନ୍‌ସିଜି ନ୍ୟୁଜ୍‌ର ରିପୋର୍ଟ ଅନୁଯାୟୀ ମିଳିତ ଜାତିସଂଘର ସାଂସ୍କୃତିକ ଏଜେନ୍ସି ୟୁନେସ୍କୋ ଜାଣିବାକୁ ପାଇଛି ଯେ ଆଣ୍ଟାକ୍ୟା, ସାନଲିଉର୍ଫା ଏବଂ ଆଲେପ୍ପୋର ପ୍ରାଚୀନ ସହରରେ ଅନେକ ଐତିହାସିକ ସଂରଚନା ଭୂକମ୍ପ ପରେ କ୍ଷତିଗ୍ରସ୍ତ ହୋଇଛି କିମ୍ବା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଭୂକମ୍ପଜନିତ ମହାବିପର୍ଯ୍ୟୟକୁ ସାମ୍ନା କରିଥିବା ସିରିୟାରେ ଆଜି ଜାତିସଂଘର ପ୍ରଥମ ସହାୟତା ପହଞ୍ଚିଛି। ସୋମବାରଠାରୁ ଘନଘନ ଭୂକମ୍ପ-ପୀଡ଼ିତ ତୁର୍କୀ-ସିରିଆ ଅନ୍ତର୍ଜାତୀୟ ସାହାଯ୍ୟକୁ ଅପେକ୍ଷା କରିଥିବା ବେଳେ ଗୁରୁବାର ଜାତିସଂଘର ରିଲିଫ୍‌ ଗାଡ଼ିମାଳା ତୁର୍କୀ ସୀମା ପାର ହୋଇ ଉତ୍ତରପଶ୍ଚିମ ସିରିଆରେ ପ୍ରବେଶ କରିଛି। ଅପରପକ୍ଷେ ତୁର୍କୀର ପରିସ୍ଥିତି ଭିନ୍ନ। ଭୂକମ୍ପ ପରେ ପରେ ୭୦ଟି ଦେଶ ଓ ୧୪ଟି ଅନ୍ତର୍ଜାତୀୟ ସଂଗଠନ ପକ୍ଷରୁ ସେଠାକୁ ସାହାଯ୍ୟ ଓ ଉଦ୍ଧାରକାରୀ ଦଳଙ୍କ ସୁଅ ଛୁଟିଛି। ସିରିୟାରେ ବିଭିନ୍ନ ମାନବାଧିକାର ସଂଗଠନ ଅଭିଯୋଗ କରିଛନ୍ତି ଯେ ସିରିୟା ପ୍ରତି ଅନ୍ତର୍ଜାତୀୟ ସମୁଦାୟ ବହୁତ ପକ୍ଷପାତ କରିଛନ୍ତି। ଏହି କାଣରରୁ ଉଦ୍ଧାର ଓ ସହାୟତା ତ୍ବରାନ୍ବିତ ହୋଇପାରିନାହିଁ।

 

Breaking News