Report Card Odisha

| Daily Odia News

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଋଷି ସନକ,ଓହରିଲେ ବୋରିସ୍‌….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଭାରତୀୟ ବଂଶୋଦ୍ଭବ କଞ୍ଜରଭେଟିଭ୍ ପାର୍ଟି ସାଂସଦ ଋଷି ସନକ ପୁଣି ଥରେ ସାମିଲ ହୋଇଛନ୍ତି । ରବିବାର ସନକ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ଦୌଡରେ ସାମିଲ ହୋଇଛନ୍ତି। ଏହା ସହିତ ତାଙ୍କ ସପକ୍ଷରେ ଶାସକ କଞ୍ଜରଭେଟିଭ୍ ପାର୍ଟିର ୧୦୦ ସାଂସଦଙ୍କ ସମର୍ଥନ ରହିଛି। ଗତ ସପ୍ତାହରେ ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବ୍ରିଟେନରେ ପୁନର୍ବାର ପ୍ରଧାନମନ୍ତ୍ରୀ ପଦ ଲାଗି କଞ୍ଜରଭେଟିଭ୍ ପାର୍ଟିରେ ନିର୍ବାଚନ ଅନୁଷ୍ଠିତ ହେବ। ସେପ୍ଟେମ୍ବରରେ ହୋଇଥିବା ପ୍ରଧାନମନ୍ତ୍ରୀ ପଦ ନିର୍ବାଚନରେ ମଧ୍ୟ ଋଷି ସନକ ସାମିଲ ହୋଇଥିଲେ। ନିର୍ବାଚନର ଚୂଡାନ୍ତ ପର୍ଯ୍ୟାୟକୁ ସନକ ଯାଇଥିଲେ। ମାତ୍ର ଶେଷରେ ସେ ଲିଜ୍ ଟ୍ରସଙ୍କ ଠାରୁ ପରାସ୍ତ ହୋଇଥିଲେ। ସେପ୍ଟେମ୍ବର ୫ରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ଲିଜ୍ ୮୧,୩୨୬ଟି ଭୋଟ ପାଇଥିବାବେଳେ ସନକ ୬୦,୩୯୯ଟି ଭୋଟ ପାଇଥିଲେ। ଗତ ମେ ମାସରେ ସନକ ଘୋଷଣା କରିଥିବା ସମ୍ପତ୍ତି ତାଲିକା ଅନୁଯାୟୀ ସେ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ପାଖରେ ୭୩୦ ନିୟୁତ ଡଲାରର ସମ୍ପତ୍ତି ରହିଛି। ଏହାଦ୍ବାରା ସେ ବ୍ରିଟେନର ୨୨ତମ ଧନୀ ବିବେଚିତ ହୋଇଥିଲେ। ସନକଙ୍କ ବ୍ୟତୀତ ପେନ୍ନି ମୋରଡାଣ୍ଟ, ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ନିର୍ବାଚନରେ ସାମିଲ ହେବାକୁ ଘୋଷଣା କରିଛନ୍ତି। ବୋରିସ ଜନସନ ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ପଛରେ ୧୦୦ ସାଂସଦଙ୍କ ସମର୍ଥନ ରହିଛି। ଶାସକ ଦଳରୁ ଯଦି ଜଣେ ପ୍ରାର୍ଥୀ ହୁଅନ୍ତି ଓ ତାଙ୍କ ପଛରେ ୧୦୦ ସାଂସଦଙ୍କ ସମର୍ଥନ ରହେ ତେବେ ସେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବେ। ଯଦି ଦଳରେ ଏକାଧିକ ପ୍ରାର୍ଥୀ ରୁହନ୍ତି ତେବେ ନିର୍ବାଚନ ଅନୁଷ୍ଠିତ ହେବ। ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନିମନ୍ତେ ଚାଲିଥିବା ପ୍ରତିଦ୍ବନ୍ଦ୍ବିତାରୁ ରବିବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଓହରି ଯାଇଛନ୍ତି। ଏହାର କାରଣ ଦର୍ଶାଇ ସେ କହିଛନ୍ତି, ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପାଇଁ ତାଙ୍କ ପ୍ରତି ଯଥେଷ୍ଟସଂଖ୍ୟକ ସାଂସଦମାନଙ୍କର ସମର୍ଥନ ରହିଛି। କିନ୍ତୁ, ତାହା ଅଗ୍ରଣୀ ପ୍ରତିଦ୍ବନ୍ଦ୍ବୀ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କଠାରୁ କମ୍‌।

Breaking News