ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ପୁଣି ଥରେ ବିଦେଶ ମାଟିରେ ସୈନ୍ୟଙ୍କ ଉପସ୍ଥିତି ବୃଦ୍ଧି ପାଇବାକୁ ଯାଉଛି। କିଛିମାସ ପୂର୍ବେ ଆଫଗାନିସ୍ତାନରୁ ନିଜର ସମସ୍ତ ସୈନ୍ୟକୁ ପ୍ରତ୍ୟାହାର କରି ନେଇଥିବା ଆମେରିକା ଏବେ ପୂର୍ବ ୟୁରୋପରେ ସୈନ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଯାଉଛି। ୟୁକ୍ରେନ-ରୁଷ୍ ବିବାଦ ତୀବ୍ର ହେବାରେ ଲାଗିଛି | ବୁଧବାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅନୁମୋଦନ କ୍ରମେ ପେଣ୍ଟାଗନ ପୂର୍ବ ୟୁରୋପକୁ ଅଧିକ ୩୦୦୦ ସୈନ୍ୟ ପଠାଇବ। ୟୁକ୍ରେନ ଦଖଲ କରିବାକୁ ରୁଷ୍ର ଯୋଜନାକୁ ନେଇ ଆମେରିକା ଏପରି ପଦକ୍ଷେପ ନେଇଛି। ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବା ନିଶ୍ଚିତ ବୋଲି ବାଇଡେନ କହିବାର ସପ୍ତାହକ ପରେ ପୂର୍ବ ୟୁରୋପରେ ଅତିରିକ୍ତ ସୈନ୍ୟ ମୁତୟନକୁ ସେ ମଞ୍ଜୁରୀ ଦେଇଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ୍ ଏହାର ସୀମାରେ ୧ଲକ୍ଷ ସୈନ୍ୟ ମୁତୟନ କରିଥିବା ବିଷୟ ମଧ୍ୟ ଆମେରିକା କହିଛି। ପେଣ୍ଟାଗନ ପକ୍ଷରୁ କୁହାଯାଇଛି ଯେ, ଖୁବ ଶୀଘ୍ର ଅତିରିକ୍ତ ସୈନ୍ୟ ପୋଲାଣ୍ଡ, ଜର୍ମାନୀ ଓ ରୋମାନିଆରେ ପହଞ୍ଚିବେ। ପେଣ୍ଟାଗନ ପ୍ରେସ ସଚିବ ଜନ କର୍ବି କହିଛନ୍ତି ଯେ, ଜର୍ମାନୀରେ ଏବେ ଥିବା ୧୦୦୦ ସୈନ୍ୟଙ୍କୁ ରୋମାନିଆ ପଠାଯିବ। ପାଶ୍ଚାତ୍ୟ ଦେଶଗୁଡିକ ରୁଷ୍କୁ ଏକ ଯୁଦ୍ଧ ଆଡ଼କୁ ଟାଣିନେଉଛନ୍ତି ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିବାର ଦିନ ପରେ ଆମେରିକା ଅତିରିକ୍ତ ସୈନ୍ୟ ମୁତୟନ ନିଷ୍ପତ୍ତି ନେଇଛି। ଗତ ସପ୍ତାହରେ ପୁଟିନ କହିଥିଲେ ଯେ, ରୁଷ୍ର ମୌଳିକ ସୁରକ୍ଷା ଦାବିକୁ ଆମେରିକା ଓ ନାଟୋ ମାନି ନାହିଁ। ନାଟୋ ଆଗରେ ରୁଷ୍ ରଖିଥିବା ପ୍ରମୁଖ ଦାବି ମଧ୍ୟରେ ରହିଛି ୟୁରୋପରେ ନାଟୋର ସଂପ୍ରସାରକୁ ବନ୍ଦ କରିବା। ପୂର୍ବ ୟୁରୋପରେ ଗଣସଂହାରକାରୀ ଅସ୍ତ୍ରଶସ୍ତ୍ର ମୁତୟନ ବନ୍ଦ କରିବା ତଥା ୟୁକ୍ରେନକୁ ନାଟୋର ସଦସ୍ୟତା ନଦେବା ଇତ୍ୟାଦି। କିନ୍ତୁ ନାଟୋ ଏପର୍ଯ୍ୟନ୍ତ ଏସବୁ ଦାବି ପୂରଣ କରିବାକୁ ପଦକ୍ଷେପ ନେଇ ନାହିଁ ବୋଲି ପୁଟିନ କହିଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..