Report Card Odisha

| Daily Odia News

ଆଫଗାନିସ୍ତାନ ଓ ମିଆଁମାରକୁ ଝଟକା ଦେଲା ଜାତିସଂଘ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବନ୍ଧୁକ ଦମରେ ଆଫଗାନିସ୍ତାନରେ କ୍ଷମତା ହାତେଇଥିବା ତାଲିବାନ ଓ ମିଆଁମାରରେ ଗାଦିଚ୍ୟୁତ୍ କରିଥିବା ସୈନ୍ୟ ସରକାରଙ୍କୁ ଜୋରଦାର ଝଟକା ଦେଲା ମିଳିତ ଜାତିସଂଘ। ଏହି ଦୁଇ ଦେଶକୁ ଜାତିସଂଘର ସାଧାରଣ ସଭାରେ କହିବାକୁ ସୁଯୋଗ ଦିଆଯାଇନାହିଁ। ଜାତିସଂଘ ମହାସଭାର ୭୬ତମ ଅଧିବେଶନର ଉଚ୍ଚସ୍ତରୀୟ ଆଲୋଚନାର ଶେଷ ଦିନରେ ବକ୍ତାଙ୍କ ତାଲିକାରେ ଆଫଗାନିସ୍ତାନ ଓ ମିଆଁମାରର ନାମ ନଥିଲା। ଶୁକ୍ରବାର ମହାସଚିବଙ୍କ ମୁଖପାତ୍ର ଷ୍ଟିଫେନ ଦୁଜାରିକ କହିଥିଲେ ଯେ, ଏ ପର୍ଯ୍ୟନ୍ତ ସୋମବାରର ବକ୍ତାଙ୍କ ସୂଚୀରେ ଆଫଗାନିସ୍ତାନର ପ୍ରତିନିଧି ଗୁଲାମ ଏମ ଇସାକଜଇଙ୍କ ନାମ ରହିଛି। ହେଲେ ସୋମବାର ବକ୍ତାଙ୍କ ତାଲିକାରେ ଏହି ଦୁଇ ଦେଶର ନାମ ନଥିଲା। ମିଆଁମାରରେ ସରକାରଙ୍କୁ ଗାଦିଚ୍ୟୁତ୍ କରି ସେଠାରେ ସେନା ସରକାର ସମ୍ଭାଳିଛି। ଏହି ଘଟଣା ପରେ ଜାତିସଂଘରେ ଦେଶର ରାଜଦୂତ କ୍ୟାବ୍ ମୋ ତୁନଙ୍କୁ ବରଖାସ୍ତ କରାଯାଇଥିଲା। ସେହି ପରି ଆମେରିକା ସୈନିକଙ୍କ ପ୍ରତ୍ୟାହାର ପରେ ନିକଟରେ ଆଫଗାନିସ୍ତାନକୁ ଅକ୍ତିକାର କରି ବନ୍ଧୁକ ମୁନରେ ସରକାର ଚଳାଉଥିବା ତାଲିବାନର ଇଚ୍ଛା ମଧ୍ୟ ପୂରା ହୋଇ ପାରିନାହିଁ। ଗତ ସପ୍ତାହରେ ତାଲିବାନ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଅ ଗୁଟେରସଙ୍କୁ ଚିଠି ଲେଖି ନିଜର ମୁଖପାତ୍ର ସୁହେଲ ଶାହିନଙ୍କୁ ଜାତିସଂଘରେ ନିଜର ଦୂତ ଭାବେ ମହାସଭାରେ ସମ୍ବୋଧିତ କରିବାକୁ ସୁଯୋଗ ଦେବାକୁ ଦାବି କରିଥିଲା।

Breaking News