Report Card Odisha

| Daily Odia News

ଦିଲ୍ଲୀ ଅଧ୍ୟାଦେଶ ପାଇଁ ଆସିଲା ବିଲ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀର ପ୍ରଶାସନିକ ନିଯୁକ୍ତି ଓ ବଦଳି ଉପରେ ନିଜର ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶର ସ୍ଥାନ ନେବାକୁ ବିଲ୍‌ ଆସିଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ଦିଲ୍ଲୀ ବିଲ୍‌କୁ ଅନୁମୋଦନ ମିଳିଛି। ଖୁବଶୀଘ୍ର ଏହା ସଂସଦରେ ଉପସ୍ଥାପନ ହେବ। ସୁପ୍ରିମକୋର୍ଟ ଦିଲ୍ଲୀର କ୍ଷମତାସୀନ ସରକାରକୁ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ଅଧିକାର ଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାତ ଦେବାକୁ ପାଇଁ କେନ୍ଦ୍ର ସରକାର ମେ’ ୧୯ରେ ଅଧ୍ୟାଦେଶ ଆଣିଥିଲେ। ବଦଳି ଓ ନିଯୁକ୍ତି ଅଧିକାର ଉପ ରାଜ୍ୟପାଳଙ୍କର ବୋଲି ଅଧ୍ୟାଦେଶରେ ବ୍ୟବସ୍ଥା କରାଯାଇଛି। ଏହାକୁ ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ବିରୋଧ କରିବା ସହ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଏହାର ବୈଧତା ଯାଞ୍ଚ କରୁଛନ୍ତି। ଏସବୁ ଭିତରେ ଅଧ୍ୟାଦେଶକୁ ବିଲ୍‌ ମାଧ୍ୟମରେ ଆଇନରେ ପରିଣତ କରିବାକୁ କେନ୍ଦ୍ର ସରକାର ଆଉ ଗୋଟିଏ ପାଦ ଆଗେଇଛନ୍ତି। ବସିଥିବା କ୍ୟାବିନେଟ ବୈଠକରେ ଏହି ବିଲ୍‌କୁ ଅନୁମୋଦନ ମିଳିଛି। ଲୋକସଭାରେ ବିଜେପି ସରକାର ସଂଖ୍ୟା ଗରିଷ୍ଠତା ଥିବାରୁ ଏହି ବିଲ୍‌ ସହଜରେ ପାରିତ ହୋଇଯିବ। କିନ୍ତୁ ରାଜ୍ୟସଭାରେ ଏହାକୁ ଅଟକାଇବା ପାଇଁ ଆପ୍‌ ପୂରା ଯୋଜନା କରିଛି। ତଥାପି ବିଜେଡି ଓ ୱାଇଏସ୍‌ଆର କଂଗ୍ରେସ ଭଳି ଦଳ ଉପରେ ସବୁ କିଛି ନିର୍ଭର କରୁଛି। ଏହି ଦୁଇ ଦଳ ଯଦି ଭୋଟ ଦାନରୁ ବିରତ ରୁହନ୍ତି କିମ୍ବା ସପକ୍ଷରେ ରୁହନ୍ତି, ତା’ହେଲେ ବିଲ୍‌କୁ ଅଟକାଇବା ଆପ୍‌ କିମ୍ବା ନିକଟରେ ଗଠନ ହୋଇଥିବା ବିରୋଧୀଙ୍କ ମେଣ୍ଟ ଇଣ୍ଡିଆ ପାଇଁ ସହଜ ହେବନି। ତେଣୁ ରାଜ୍ୟସଭାରେ ହେବାକୁ ଥିବା ଭୋଟ ଉପରେ ସମସ୍ତଙ୍କ ନଜର ରହିଛି।

Breaking News