Report Card Odisha

| Daily Odia News

ଡମ୍ଫର ସହ କାର୍‌ ଧକ୍କା, ଜୀବନ୍ତ ଜଳିଗଲେ ୮…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିବାହ ଉତ୍ସବରୁ ସମସ୍ତେ ଖୁସି ହୋଇ ଫେରୁଥିଲେ | ବାଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୮ଜଣ ଜୀବନ୍ତ ଜଳିଜାଇଛନ୍ତି । ଉତ୍ତରପ୍ରଦେଶର ବାରେଲି-ନୈନିତାଲ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଡମ୍ଫର ସହ କାର୍‌ର ଧକ୍କା ଦେବା ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଛି। ଦୁର୍ଘଟଣାରେ ଜଣେ ଶିଶୁ ସମେତ ୮ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ କାର୍‌ଟି ବାରେଲି-ନୈନିତାଲ ଜାତୀୟ ରାଜପଥରେ ଯାଉଥିବା ସମୟରେ ହଠାତ୍ ଚକା ଫାଟି ଯାଇଥିଲା। ପରେ କାରଟି ଡିଭାଇଡର ଭାଙ୍ଗି ଅନ୍ୟ ପାର୍ଶ୍ୱରେ ଆସୁଥିବା ଡମ୍ଫର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପରେ କାର୍‌ଟି ରାସ୍ତାଉପରେ ଓଲଟି ପଡ଼ିଥିଲା। ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା। ତେବେ ନିଆଁ ଲାଗିବା ପରେ କାର୍‌ରେ ବସିଥିବା ଲୋକମାନେ ଚିତ୍କାର କରି ସାହାଯ୍ୟ ମାଗିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ କାରର କବାଟ ଖୋଲି ନଥିଲା। ସେମାନଙ୍କ ଚିତ୍କାର ଶୁଣି ରାସ୍ତାକଡ଼ରେ ଶୋଇଥିବା ଲୋକଙ୍କର ନିଦ ଭାଙ୍ଗି ଯାଇଥିଲା। ସେମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ବିଫଳ ହୋଇଥିଲେ। ପରେ ସେମାନେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ବିଳମ୍ବ ହୋଇ ସାରିଥିଲା। କାର୍‌ରେ ଥିବା ଜଣେ ଶିଶୁ ସମେତ ୮ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ହେଲେ ନିଆଁ ଲାଗିବା ପରେ ଡମ୍ଫର ଡ୍ରାଇଭର ଗାଡ଼ିରୁ ଡିଆଁ ମାରି ପଳାଇ ଯାଇଥିଲେ।ପୋଲିସ ଓ ଅଗ୍ନିଶମ ବାହିନୀ ମୃତଦେହକୁ କାର ଭିତରରୁ ବାହାର କରିଥିଲେ। ଗାଡ଼ି ଚଳାଇବା ସମୟରେ ଡ୍ରାଇଭରର ଆଖି ଲାଗି ଯାଇଥିବା ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

Breaking News