ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେଣ୍ଟୁକିର ପୂର୍ବାଞ୍ଚଳ ଅନ୍ତର୍ଗତ ବିଶାଳ ସାମରିକ ୟୁନିଟ୍ରେ ଥିବା ନିଜର ଶେଷ ରାସାୟନିକ ଅସ୍ତ୍ରଶସ୍ତ୍ର ସବୁ ଆମେରିକା ଧ୍ବଂସ କରି ଦେଇଥିବା କଥା ଶୁକ୍ରବାର ଦିନ ହ୍ବାଇଟ୍ ହାଉସ୍ ଘୋଷଣା କରିଛି। ଏହି ଅସ୍ତ୍ରଶସ୍ତ୍ର ସବୁ ପ୍ରଥମ ବିଶ୍ବଯୁଦ୍ଧ ଅମଳରୁ ଗଚ୍ଛିତ ଥିଲା। କେଣ୍ଟୁକିରେ ଥିବା ‘ବ୍ଲୁ ଗ୍ରାସ୍ ଆର୍ମି ଡିପୋ’ରେ ଶ୍ରମିକମାନେ ‘ଜିବି ନର୍ଭ ଏଜେଣ୍ଟ୍’ (ସାଇରେନ୍ ନାମକ ମାରାତ୍ମକ ବିଷାକ୍ତ ପଦାର୍ଥ) ଭର୍ତ୍ତି ରକେଟ୍ ସବୁ ଧ୍ବଂସ କରି ଦେଇଛନ୍ତି। ଶେଷ ୫୧,୦୦୦ଟି ‘ଏମ୍୫୫’ ରକେଟ୍ଗୁଡ଼ିକର ଓଜନ ଥିଲା ପ୍ରାୟ ୩୦,୦୦୦ ଟନ୍। ୧୯୪୦ ଦଶକରେ ସେଗୁଡ଼ିକ ଉକ୍ତ ଡିପୋରେ ରଖାଯାଇଥିଲା। ହ୍ବାଇଟ୍ ହାଉସ୍ ରିଲିଜ୍ କରିଥିବା ବିବୃତିରେ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଗଚ୍ଛିତ ଥିବା ରାସାୟନିକ ଅସ୍ତ୍ରଶସ୍ତ୍ର ସବୁକୁ ମୂଳପୋଛ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ୩୦ ବର୍ଷରୁ ଅଧିକ ସମୟ ହେବ ଅକ୍ଳାନ୍ତ ପରିଶ୍ରମ କରି ଆସୁଥିଲା। ଆଜି ମୁଁ ଆନନ୍ଦର ସହିତ ଘୋଷଣା କରୁଛି ଯେ, ଯୁକ୍ତରାଷ୍ଟ୍ର ଆମେରିକା ଗଚ୍ଛିତ ଥିବା ତା’ର ଶେଷ ରାସାୟନିକ ଅସ୍ତ୍ରଶସ୍ତ୍ର ସବୁ ସଫଳତାର ନଷ୍ଟ କରିଦେଇଛି। ଏଥିସହ ଆମେ ଧୀରେ ଧୀରେ ରାସାୟନିକ ଅସ୍ତ୍ର ଆତଙ୍କ ମୁକ୍ତ ବିଶ୍ବ ଆଡ଼କୁ ଅଗ୍ରସର ହେଉଛୁ। ସୂଚନାଯୋଗ୍ୟ, ରିଚ୍ମଣ୍ଡ୍, କେଣ୍ଟୁକି ଏବଂ କଲରାଡୋର ପ୍ୟୁବ୍ଲୋରେ ଗତ ମାସରେ ରାସାୟନିକ ଅସ୍ତ୍ରଶସ୍ତ୍ର ନଷ୍ଟ କରାଯିବା ଏକ ଉଲ୍ଲେଖନୀୟ ଘଟଣା। ୧୯୯୭ରେ ଲାଗୁ କରାଯାଇଥିବା ‘ଇଣ୍ଟର୍ନ୍ୟାସ୍ନାଲ୍ କେମିକାଲ୍ ୱିପନ୍ କନ୍ଭେନ୍ସନ୍’ ଅନୁଯାୟୀ ବାକି ରାସାୟନିକ ଅସ୍ତ୍ର ସବୁକୁ ସେପ୍ଟେମ୍ବର ୩୦ ସୁଦ୍ଧା ନଷ୍ଟ କରିବ ବୋଲି ଆମେରିକା କହିଥିଲା। ପ୍ରଥମ ବିଶ୍ବଯୁଦ୍ଧରେ ପ୍ରଥମେ ଅତ୍ୟାଧୁନିକ ଅସ୍ତ୍ର ଭାବେ ବ୍ୟବହାର କରାଯାଇଥିବା ଏହି ରାସାୟନିକ ଅସ୍ତ୍ର ମାଡ଼ରେ ଅନ୍ୟୂନ ୧,୦୦୦୦୦ ଜନତା ପ୍ରାଣ ହରାଇଥିଲେ।






More Stories
ଗଣତନ୍ତ୍ରକୁ ସୁଦୃଢ କରିଛି ନାରୀଙ୍କ ଭାଗିଦାରୀ…..
ପୋଲିସ ଗାଡି ପୋଡିଲେ କର୍ମଚାରୀ….
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..