Report Card Odisha

| Daily Odia News

ଆଦାନୀଙ୍କ ବିରୋଧରେ ମକଦ୍ଦମା ପାଇଁ ଭାରତର ସାହାଯ୍ୟ ଲୋଡ଼ିଲା ଆମେରିକା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶିଳ୍ପପତି ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀଙ୍କ ସମେତ ଗ୍ରୁପ୍‌ର ଅନେକ ଉଚ୍ଚସ୍ତରୀୟ ଅଧିକାରୀଙ୍କ ବିରୋଧରେ ମକଦ୍ଦମା ଚଳାଇବା ପାଇଁ ଭାରତର ସହାୟତା ଲୋଡ଼ିଛି ଆମେରିକା। ସୂଚନା ଅନୁସାରେ, ଭାରତର ଆଇନ ମନ୍ତ୍ରଣାଳୟର ସହାୟତା ଲୋଡ଼ିଛି ଆମେରିକାର ଏଜେନ୍ସି ଏସଇସି। ଏହି ମାମଲା ଶେୟାର ରିଗିଂ ଏବଂ ୨୬.୫ ମିଲିୟନ ଡଲାରର ଲାଞ୍ଚ ସହ ଜଡ଼ିତ। ଆମେରିକାର ଏସଇସି ଆଦାନୀ ଗ୍ରୁପ୍‌ର ଯାଞ୍ଚ କରୁଛି। ନ୍ୟୁୟର୍କର ଏକ ଅଦାଲତଙ୍କୁ ଏସଇସି କହିଛି ଯେ, ଗୌତମ ଏବଂ ସାଗର ଆଦାନୀଙ୍କୁ କୋର୍ଟ ନୋଟିସ୍ ପଠାଇବାକୁ ଉଦ୍ୟମ ଚାଲିଛି। ଉଭୟ ଭାରତରେ ରୁହନ୍ତି। ଗତବର୍ଷ ବ୍ରୁକଲିନ୍‌ର ଫେଡେରାଲ୍ ପ୍ରୋସିକ୍ୟୁଟର ଆଦାନୀ ଏବଂ ଗ୍ରୁପ୍‌ର ଅନେକ ଅଧିକାରୀଙ୍କ ବିରୋଧରେ ଭାରତୀୟ ଅଧିକାରୀଙ୍କୁ ଲାଞ୍ଚ ଦେଇଥିବାର ଅଭିଯୋଗ କରିଥିଲେ। ଆଦାନୀ ଗ୍ରୀନ୍ ଏନର୍ଜିରୁ ବିଦ୍ୟୁତ୍ କିଣିବା ପାଇଁ ଏହି ଲାଞ୍ଚ ଦିଆଯାଇଥିଲା। ଏହା ମଧ୍ୟ ଅଭିଯୋଗ ହୋଇଥିଲା ଯେ, ଆଦାନୀ ଆମେରିକୀୟ ନିବେଶକମାନଙ୍କୁ ବିଭ୍ରାନ୍ତ କରିଥିଲେ। କମ୍ପାନୀର ଦୁର୍ନୀତି ନିବାରଣ ପଦକ୍ଷେପ ବିଷୟରେ ସେ ମିଥ୍ୟା ସୂଚନା ଦେଇଥିଲେ। ଆଦାନୀ ଗ୍ରୁପ୍ ଏସବୁ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି। ଗ୍ରୁପ୍ କହିଛି ଯେ, ସେ ସମସ୍ତ ଆଇନଗତ ବିକଳ୍ପ ବ୍ୟବହାର କରିବ। ଏସଇସି ଏହାର ଅଭିଯୋଗରେ କହିଛି ଯେ, ୨୦୨୦ରୁ ୨୦୨୪ ମଧ୍ୟରେ ଗୌତମ ଆଦାନୀ, ସାଗର ଆଦାନୀ ଏବଂ ଅନ୍ୟ ୬ ଜଣ ବ୍ୟକ୍ତି ଭାରତରେ ସରକାରୀ କର୍ମଚାରୀମାନଙ୍କୁ ୨୬.୫ ମିଲିୟନ ଡଲାର ଲାଞ୍ଚ ଦେଇଛନ୍ତି। ଲାଭଜନକ ସୌର ଶକ୍ତି କଣ୍ଟ୍ରାକ୍ଟ ପାଇବା ପାଇଁ ଏହି ଲାଞ୍ଚ ଦିଆଯାଇଥିଲା। ଏହି କଣ୍ଟ୍ରାକ୍ଟ ଦ୍ଵାରା ୨୦ ବର୍ଷରେ ୨ ବିଲିୟନ ଡଲାର ଲାଭ ହେବାର ଆଶା ଥିଲା।

Breaking News