Report Card Odisha

| Daily Odia News

ଆଜି ଉତ୍କଳ ଦିବସ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଉତ୍କଳ ଦିବସ । ସାରା ଓଡିଶା ଆଜି ୮୮ତମ ଉତ୍କଳ ଦିବସ ପାଳନ କରୁଛି। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ । ୧୯୩୬ ମସିହା ଆଜିର ଦିନ ଅର୍ଥାତ୍ ଏପ୍ରିଲ ୧ରେ ଓଡିଶା ସ୍ବତନ୍ତ୍ର ପ୍ରଦେଶ ହୋଇଥିଲା। ଭାଷା ଭିତ୍ତିରେ ଓଡିଶାକୁ ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ମିଳିଥିଲା। ଏଭଳି ମାନ୍ୟତା ପାଇବାରେ ଓଡିଶା ଭାରତର ପ୍ରଥମ ରାଜ୍ୟ। ଏହାରି ଭିତରେ ୮୮ ବର୍ଷ ପୂରଣ ହୋଇଛି । ଉତ୍କଳ ଦିବସ ପାଇଁ ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ବିଧାନସଭା, ଲୋକସେବା ଭବନ, ଖାରବେଳ ଭବନ, ନିର୍ମାଣ ସୌଧ, କମିସନରେଟ୍ ପୁଲିସ ମୁଖ୍ୟାଳୟ ରଙ୍ଗ ବେରଙ୍ଗ ଆଲୋକରେ ଝଲସି ଉଠିଛି । ସେହିପରି କୃଷି ଭବନ, ରିଜର୍ଭ ବ୍ୟାଙ୍କ ଓ ଏସ୍ବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ମଧ୍ୟ ସଜା ଯାଇଛି । ବିଭିନ୍ନ ଅଞ୍ଚଳ ବ୍ରିଟିଶ ଅମଳର ବିଭିନ୍ନ ପ୍ରେସିଡେନସିରେ ମିଶି ରହିଥିଲା। ଦକ୍ଷିଣ ଓଡ଼ିଶାର ବହୁ ଅଞ୍ଚଳ ସେତେବେଳର ମାଡ୍ରାସ ପ୍ରେସିଡେନସିରେ ମିଶି ରହିଥିବା ବେଳେ ଉତ୍ତର ଓଡ଼ିଶାର ଅନେକ ସ୍ଥାନ ବିହାର ଓ କୋଲକାତା ସହିତ ମିଶିଥିଲା। ପଶ୍ଚିମରେ ମଧ୍ୟ ସେହିଭଳି ସ୍ଥିତି ଥିଲା। ଓଡ଼ିଶାର ସ୍ୱାଭିମାନ, ଅସ୍ମିତା ଭୂଲୁଣ୍ଠିତ ହୋଇଥିଲା। ସେହି ସମୟରେ ମଧୂସୂଦନ ଦାସ, ଗୋପବନ୍ଧୁ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର ପରି ବହୁ ବରପୁତ୍ରସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବାକୁ ସଂଗ୍ରାମ କରିଥିଲେ। ସେମାନଙ୍କର ଉଦ୍ୟମ ଫଳବତୀ ହୋଇଥିଲା ୧୯୩୬ ଏପ୍ରିଲ ପହିଲାରେ। ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ରାଜ୍ୟ ଗଠନର ଯୋଗଦାନ ଦେଇଥିବା ବରପୁତ୍ରଙ୍କୁ ଆଜିର ଦିନରେ ସମସ୍ତ ଓଡ଼ିଶାବାସୀ ସ୍ମରଣ କରୁଛନ୍ତି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ୧୯୦୨ରେ ଗଠିତ ଉତ୍କଳ ସମ୍ମିଳନୀ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ୧୯୦୩ରେ ଏହାର ପ୍ରଥମ ସଭା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୬୨ଜଣ ସ୍ଥାୟୀ ସଦସ୍ୟ ରହିଥିଲେ। ସେମାନଙ୍କ ମଧ୍ୟରୁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋବବନ୍ଧୁ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ଭକ୍ତକବି ମଧୁସୂଦନ ରାଓ, ପଣ୍ଡିତ ନୀଳକଣ୍ଠ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ସ୍ୱଭାବ କବି ଗଙ୍ଗାଧର ମେହେର, ଭୁବନାନନ୍ଦ ଦାସ ଓ କବିବର ରାଧାନାଥ ରାୟ ପ୍ରମୁଖ ଅନ୍ୟତମ। ସର୍ବମୋଟ ୬ଟି ଜିଲ୍ଲାକୁ ନେଇ ସ୍ୱତନ୍ତ୍ର ରାଜ୍ୟର ପରିଚୟ ପାଇଥିଲା ଉତ୍କଳ। କଟକ, ବାଲେଶ୍ୱର, ସମ୍ୱଲପୁର, କୋରାପୁଟ ଏବଂ ଗଞ୍ଜାମ ଜିଲ୍ଲାକୁ ନେଇ ଓଡ଼ିଶା ମାନଚିତ୍ର ସଜେଇ ହୋଇଥିଲା। କଟକ ଥିଲା ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ରାଜଧାନୀ। ସେପଟେ ଏହି ଅବସରରେ ବାଲୁକାକଳାରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନୀଳାଦ୍ରି ବିଚ୍ ରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି। ଏଥିରେ ଓଡ଼ିଶାର ମାନଚିତ୍ର ସହ ଓଡ଼ିଶାର ପ୍ରସିଦ୍ଧ ମନ୍ଦିର, ଐତିହ୍ୟ ସ୍ଥଳୀକୁ ସ୍ଥାନ ଦେଇଛନ୍ତି । ଏହି ବାଲୁକା ଚିତ୍ରକଳା ମାଧ୍ୟମରେ ସୁଦର୍ଶନ ଓଡ଼ିଶାବାସୀଙ୍କ ସଫଳତା, ସମୃଦ୍ଧି କାମନା କରିଛନ୍ତି। ଏହି ଆକର୍ଷଣୀୟ ବାଲୁକାକଳାକୁ ଦେଖିବାକୁ ପ୍ରବଳ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଛି।

Breaking News