Report Card Odisha

| Daily Odia News

ଉତ୍ତରାଖଣ୍ଡରେ ୧୧ ପର୍ବତାରୋହୀଙ୍କ ମୃତ ଦେହ ଉଦ୍ଧାର……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହିମାଚଳ ପ୍ରଦେଶର କିନ୍ନୌର୍‌ ସହ ଉତ୍ତରାଖଣ୍ଡର ହର୍ଷିଲ୍‌କୁ ସଂଯୋଗ କରୁଥିବା ଲମ୍‌ଖାଗା ଘାଟି ଅଞ୍ଚଳରେ ନିଖୋଜ ହୋଇଯାଇଥିବା ୧୭ଜଣ ପର୍ବତାରୋହୀଙ୍କ ମଧ୍ୟରୁ ୧୧ଜଣ ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ଅକ୍ଟୋବର ୧୮ ତାରିଖ ଦିନ ତୁଷାରପାତ ଏବଂ କୋହଲା ତଥା ହେମାଳିଆ ପାଗ ହେତୁ ସମୁଦ୍ରପତ୍ତନ ଠାରୁ ୧୭୦୦୦ ଫୁଟ୍‌ ଉଚ୍ଚ ଉତ୍ତରାଖଣ୍ଡର ଲମ୍‌ଖାଗା ଘାଟିରେ ପର୍ଯ୍ୟଟକ, କୁଲି ଏବଂ ଗାଇଡ୍‌ଙ୍କ ସମେତ ବାଟବଣା ହୋଇଯାଇଥିବା ୧୭ଜଣ ପର୍ବତାରୋହୀଙ୍କୁ ଉଦ୍ଧାର କରିବା ଲାଗି ବାୟୁସେନା ବ୍ୟାପକ ତଲାସ ଚଳାଇଛି। ଅକ୍ଟୋବର ୨୦ ତାରିଖ ଦିନ ସରକାରୀ ଅଧିକାରୀମାନଙ୍କ ଠାରୁ ‘ଏସ୍‌ଓଏସ୍‌’ ପାଇବା ପରେ ଭାରତୀୟ ବାୟୁସେନା ହର୍ଷିଲ୍‌ରେ ପହଞ୍ଚିବା ଲାଗି ଦୁଇଟି ‘ଆଡ୍‌ଭାନ୍‌ସ୍‌ଡ୍‌ ଲାଇଟ୍‌ ହେଲିକପ୍ଟର୍‌’ (ଏଏଲ୍‌ଏଚ୍‌) ହେଲିକପ୍ଟର୍‌ ମୁତୟନ କରିଥିଲା। ୧୯,୫୦୦ ଫୁଟ୍‌ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ିବାକୁ ଅନୁମତି ମିଳୁଥିବା ଏହି ‘ଏଏଲ୍‌ଏଚ୍‌’ରେ ‘ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍‌ସ୍‌’ର (ଏନ୍‌ଡିଆର୍‌ଏଫ୍‌) ୩ଜଣ କର୍ମଚାରୀଙ୍କୁ ନେଇ ଅକ୍ଟୋବର ୨୦ ତାରିଖ ଅପରାହ୍ଣରେ ତଲାସ ଆରମ୍ଭ ହୋଇଥିଲା। କିନ୍ତୁ, କୌଣସି ସଫଳତା ମିଳି ନ ଥିଲା। ତହିଁ ଆର ଦିନ ସକାଳେ ‘ଏଏଲ୍‌ଏଚ୍‌’ ଆରୋହଣ କରିଥିବା ‘ଏନ୍‌ଡିଆର୍‌ଏଫ୍‌’ ଟିମ୍‌ ଦୁଇଟି ଉଦ୍ଧାର ସ୍ଥଳୀ ଚିହ୍ନଟ କରିବାରେ ସମର୍ଥ ହୋଇଥିଲେ। ୧୫,୭୦୦ ଫୁଟ୍‌ ଉଚ୍ଚରେ ଥିବା ଉକ୍ତ ସ୍ଥାନରେ ଉଦ୍ଧାରକାରୀ ଦଳ ମୁତୟନ କରାଯିବାରୁ ସେମାନେ ୪ଟି ଶବ ଉଦ୍ଧାର କରିଥିଲେ। ଏହା ପରେ ଉପରୋକ୍ତ ହେଲିକପ୍ଟର୍‌ ୧୬,୮୦୦ ଫୁଟ୍‌ ଉଚ୍ଚତାରେ ଅନ୍ୟ ଏକ ସ୍ଥାନରେ ପହଞ୍ଚିବା ପରେ ସେଠାରୁ ଚଳତ୍‌ଶକ୍ତିହିନ ଜଣେ ପର୍ବତାରୋହୀଙ୍କୁ ଉଦ୍ଧାର କରାଯାଇଥିଲା। ଅକ୍ଟୋବର ୨୨ ତାରିଖ ପାହାନ୍ତାରେ ‘ଏଏଲ୍‌ଏଚ୍‌’ ଉଡ଼ାଣ ଆରମ୍ଭ କରିବା ପରେ ଉଦ୍ଧାରକାରୀ ଦଳ ଅନ୍ୟ ଜଣେ ଜୀବନ୍ତ ପର୍ଯ୍ୟଟକଙ୍କୁ ରକ୍ଷା କରିବା ସହ ୫ଜଣଙ୍କ ଶବ ଉଦ୍ଧାର କରି ଆଣିଥିଲେ। ଏହା ପରେ ଉଦ୍ଧାରକାରୀ ଠାବ କରିଥିବା ଆହୁରି ୨ଜଣଙ୍କ ଶବ ଆଣିବାକୁ ଉଦ୍ୟମ କରାଯାଉଛି। ଉଦ୍ଧାର ହୋଇଥିବା ଶବଗୁଡ଼ିକୁ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରାଯାଉଛି। ଜୀବିତାବସ୍ଥାରେ ଉଦ୍ଧାର ହୋଇଥିବା ଲୋକମାନଙ୍କର ହର୍ଷିଲ୍‌ରେ ପ୍ରାଥମିକ ଉପଚାର କରାଯାଇ ଉତ୍ତରକାଶୀ ଜିଲ୍ଲା ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

Breaking News