Report Card Odisha

| Daily Odia News

ଉତ୍ତରକାଶୀ ଟନେଲ ଦୁର୍ଘଟଣା :ଭାଙ୍ଗିଲା ଡ୍ରିଲିଂ ମେସିନ,ହୀରାକୁଦରୁ ଗଲା ଅଗର ଖନନ ମେସିନ୍……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ଫସି ରହିଛି ୪୧ ଜୀବନ । ସେମାନଙ୍କୁ ଉଦ୍ଧାର ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଚେଷ୍ଟା | ଉଦ୍ଧାର କାର୍ଯ୍ୟରେ ଯାନ୍ତ୍ରୀକ ତ୍ରୁଟି ଦେଖା ଯିବାରୁ ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ଛଡାଯାଇଛି। ଡ୍ରୋନ ଦ୍ୱାରା ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି। ଆଉ ମାତ୍ର କିଛି ମିଟର ଖନନ ହେବା ପରେ ପାଇପଲାଇନ୍ ଦେଇ NDRF ଟିମ୍ ଶ୍ରମିକଙ୍କୁ ବାହାର କରାଯିବ ବୋଲି ଅନୁମାନ କରାଯାଉଛି। ଏଥିନିମନ୍ତେ ଆଜି ଅପରାହ୍ନ ପର୍ଯ୍ୟନ୍ତ ସମୟ ଲାଗିପାରେ ବୋଲି ଆକଳନ କରାଯାଇଛି। NDRF ଟିମ୍‌ ବୁଧବାର ପର୍ଯ୍ୟନ୍ତ ୪୫ ମିଟର ରାସ୍ତା କ୍ଲିଅର କରି ସାରିଛନ୍ତି। ଗୁରୁବାର ପାଇପ୍‌କୁ ୧.୮ ମିଟର ପର୍ଯ୍ୟନ୍ତ ପ୍ରବେଶ କରାଯାଇଛି। ତେଣୁ ଏପର୍ଯ୍ୟନ୍ତ ସମୁଦାୟ ୪୮ ମିଟର ପାଇପ୍‌ ଡ୍ରିଲିଂ କରାଯାଇ ସରିଛି। ଶ୍ରମିକଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଆଉ ୧୬.୨ ମିଟର ଡ୍ରିଲିଂ ବାକି ଥିବା ଜଣାଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ଫସିଥିବା ଶ୍ରମିକଙ୍କ ସହ କଥା ହୋଇ ଆଶ୍ୱାସନା ଦେଇଥିଲେ। ଗୁରୁବାର ସକାଳ ସୁଦ୍ଧା ଶ୍ରମିକମାନେ ବାହାରକୁ ଆସିଯିବେ ବୋଲି କୁହାଯାଉଥିଲା। କିନ୍ତୁ ଡ୍ରିଲିଂରେ ସମସ୍ୟା ଓ ମେସିନ୍ ଖରାପ ହେବା ଯୋଗୁଁ ମିଶନ୍ ବନ୍ଦ ରହିଥିଲା। ଏହି ସ୍ୱତନ୍ତ୍ର ଖନନ ମେସିନଟି ହୀରାକୁଦ ହିଣ୍ଡାଲକୋ କମ୍ପାନୀରେ କାମ କରୁଥିବା ଏକ ଠିକା ସଂସ୍ଥାର। ମେସିନକୁ ହୀରାକୁଦରୁ ଟ୍ରେନରେ ରାୟପୁର ନିଆଯାଇଥିଲା। ସେଠାରୁ ଏକ ଟ୍ରଲରରେ ଗ୍ୱାଲିୟର ନିଆଯାଇଥିଲା। ଗ୍ୱାଲିୟରରୁ ବାୟୁସେନାର ବିମାନରେ ଉତ୍ତରକାଶୀକୁ ନିଆଯାଇଛି। ଏହାର ଓଜନ ହେଉଛି ୩୮୦ ଟନ। ତେଣୁ ଭାଗ ଭାଗ କରି ନିଆଯାଇଛି। ଉତ୍ତରକାଶୀରେ ପୁଣି ଆସେମ୍ବୁଲ୍ କରି କାମରେ ଲଗାଯିବ।

 

 

Breaking News