ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଙ୍ଗୋପସାଗରରେ ସକ୍ରିୟ ଅବପାତ ଗୁରୁବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର ଦିଗକୁ ଗତି କରି ଆହୁରି ଘନୀଭୂତ ହୋଇଥିବାବେଳେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗକୁ ଅତିକ୍ରମ କରିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଶୁକ୍ରବାର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀର ଆଦି ୧୦ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହିସବୁ ଜିଲାରେ ବଜ୍ରପାତ ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟପଟେ ମାଲକାନଗିରି, ନବରଙ୍ଗପୁର, ବାଲେଶ୍ୱର, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ସମ୍ବଲପୁର, ସୋନପୁର, ଜବରଗଡ଼, ବୌଦ୍ଧ, ମୟୂରଭଞ୍ଜ ଏବଂ ଯାଜପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ସେହିପରି କେନ୍ଦୁଝର, ଢେଙ୍କାନାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ, ଦେବଗଡ଼, ବଲାଙ୍ଗୀର ଏବଂ ନୂଆପଡ଼ା ଆଦି ଜିଲାରେ ବଜ୍ରପାତ ସହ ଝଟ୍କା ପବନ ନେଇ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..